ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ପିରିକୁଡି ପଞ୍ଚାୟତ ଅନ୍ତର୍ଗତ ସାକାଡି ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଛନ୍ତି ଗ୍ରାମବାସୀ। ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ସୁଜାତା ବିଶ୍ବାଳଙ୍କ ପାଠ ପଢ଼ାରେ ଅସନ୍ତୁଷ୍ଟ ହୋଇ ସ୍କୁଲରେ ପଡିଛି ତାଲା। ପାଠ ପଢ଼ାଇବାରେ ଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁଁ ପୂର୍ବରୁ ତାଙ୍କୁ ବଦଳି କରିବାକୁ ଲେଖି ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇନଥିବାରୁ ଆନ୍ଦୋଳନ କରିଛନ୍ତି ଗ୍ରାମବାସୀ।
ମଙ୍ଗଳବାର ସାକାଡି ପ୍ରାଥମିକ ବିଦ୍ୟାଳୟ ଗେଟରେ ଗାଁ ଲୋକେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଶିକ୍ଷୟିତ୍ରୀଙ୍କୁ ବଦଳି ନ କଲେ ସ୍କୁଲ ବନ୍ଦ ରହିବ ବୋଲି କହିଛନ୍ତି। ଶିକ୍ଷୟିତ୍ରୀ ପାଠ ପଢ଼ାଉ ନାହାଁନ୍ତି, ନିଜ କାର୍ଯ୍ୟରେ ଅବହେଳା କରିବା ସହ ସ୍କୁଲରେ ଶୋଇ ରହୁଛନ୍ତି ବୋଲି କହିଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ। ଗତ ତିନି ମାସ ଧରି ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲେଖି ଜଣାଇଥିଲେ ମଧ୍ୟ ଶିକ୍ଷୟିତ୍ରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିଲା । ତେଣୁ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସ୍କୁଲ ଭିତରେ ପିଲାମାନେ ରହିଥିବା ବେଳେ ତିନି ଜଣ ଶିକ୍ଷକ ବାହାରେ ଜଗି ରହିଥିଲେ।