ଫୁଲବାଣୀ: ରାଜ୍ୟରେ ଗମନା ଗମନର ସୁବିଧା କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗାଁ ଗାଁକୁ ପକ୍କା ରାସ୍ତା ନିର୍ମାଣ କରି ବାକାଶ କରୁଥିବା କହି ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ରାଞ୍ଜାକୁମ୍ପା ଗ୍ରାମରେ । ଏହି ଗାଁକୁ ଯିବାକୁ ହେଲେ ପାର ହେବାକୁ ପଡେ ପଣିରେ ଭରା ଘାଇ । ଗାଁର ତିନି ପାଖରେ ବୋଲସକୁମ୍ପା ସିଦିଙ୍ଗୀ ଘାଇର ପାଣି ଜଳବନ୍ଦୀ କରି ରଖିଥିବା ବେଳେ ଅନ୍ୟପଟେ ଗାଁକୁ ଘେରି ରହିଛି ଘଞ୍ଚ ଜଙ୍ଗଲ । ଏଭଳି ସ୍ଥିତିରେ କଳାପାଣିର ସଜ୍ଜା କାଟୁଥିବା କଏଦୀଙ୍କ ଭଳି ନିର୍ବାସିତ ଦଣ୍ଡ ଭୋଗୁଛନ୍ତି ଗ୍ରାମବାସୀ ।
ଫୁଲବାଣୀ ସଦର ମହକୁମା ଠାରୁ 20 କିଲୋମିଟର ଏବଂ ଖଜୁରୀପଡ଼ା ବ୍ଳକ କାର୍ଯ୍ୟାଳୟ ଠାରୁ 8 କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ । ପଞ୍ଚାୟତକୁ ରାସନ, ଭତ୍ତା ଆଣିବାକୁ ହେଉ କିମ୍ବା ସ୍କୁଲ, ଅଙ୍ଗନବାଡି ଯିବାକୁ ହେଲେ ଏକମାତ୍ର ସାହା ଭରସା ଆହୁଲା ଡଙ୍ଗା । ସିଦିଙ୍ଗୀ ଘାଇର ଗଭୀର ଜଳରାଶି ଦେଇ ଜୀବନକୁ ପାଣି ଛଡାଇ ଛୁଆପିଲାଙ୍କୁ ସାଙ୍ଗରେ ଧରି ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରନ୍ତି ଗ୍ରାମବାସୀ । ଗ୍ରାମବାସୀମାନେ ନିଜ ଉଦ୍ୟମରେ ଡଙ୍ଗା ପକାଇ ନିଜେ ନାଉରିଆ ସାଜିଛନ୍ତି । ପିଲା ଠାରୁ ଆରମ୍ଭ କରି ବୃଦ୍ଧ ଲୋକ ପର୍ଯ୍ୟନ୍ତ ଡଙ୍ଗାକୁ ଘାଇରେ ନିଜେ ଚଲାଇ ଯିବା ଆସିବା କରନ୍ତି ।
ଗାଁରେ ସ୍କୁଲ, ଅଙ୍ଗନବାଡି ନଥିବାରୁ ଘାଇ ପାର ହୋଇ ନିକଟସ୍ଥ ଛନ୍ଦୁରୁପଦର ଗ୍ରାମକୁ ମାଆମାନେ ପିଲାମାନଙ୍କୁ ସ୍କୁଲ ଓ ଅଙ୍ଗନବାଡିକୁ ଡ଼ଙ୍ଗାରେ ନେଇ ଛାଡନ୍ତି ଓ ପୁଣି ସେଠାରୁ ଜଗି ଡଙ୍ଗାରେ ନେଇ ଆସନ୍ତି । ଗାଁରେ କୌଣସି ସମୟରେ ଅଘଟଣ ଘଟିଲେ କିମ୍ବା ଦେହ ଖରାପ ହେଲେ ଅଥବା ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବାକୁ ହେଲେ ଖଟିଆରେ ବୁହା ହୋଇ ଘାଇ ସେପଖାକୁ ନେବାକୁ ପଡ଼େ । ସେଠାରୁ ନିକଟସ୍ଥ ମେଡିକାଲ ଯିବାକୁ ପଡେ । ଗାୀଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସେ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।