ଫୁଲବାଣୀ: ନଦୀରେ ଗାଧୋଇବାବେଳେ ଅଘଟଣ । ନଦୀ ସ୍ରୋତରେ ଭାସି ଜଣେ ଛାତ୍ରୀ ନିଖୋଜ ହୋଇଛନ୍ତି । ତେବେ 2ଜଣ ଛାତ୍ରୀ ଭାସି ଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଅନ୍ୟ ଜଣେ ଛାତ୍ରୀ ଏପର୍ଯ୍ୟନ୍ତ ନିଖୋଜ ଥିବା ଜଣାପଡ଼ିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଶ୍ରାଲିଗାଡି ଗାଁରେ । କୋଟଗଡ଼ ଥାନା ଅନ୍ତର୍ଗତ ଜୁଡ଼ାବାଲି ପଞ୍ଚାୟତର ଶ୍ରାଲିଗାଡି ଗାଁରେ ଥିବା ପଲପଲି ନଦୀରେ ପ୍ରଖର ସ୍ରୋତରେ ଜଳ ପ୍ରବାହିତ ହେଉଛି । ଏହି ନଦୀକୁ 4 ଜଣ ଛାତ୍ରୀ ଗାଧୋଇବା ପାଇଁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ଅସାବଧନତାବଶତଃ 2 ଜଣଙ୍କ ଗୋଡ଼ ଖସି ଯାଇଥିଲା ।
ଶନିବାର ଅପରାହ୍ନରେ ଏଭଳି ଅଘଟଣ ଘଟିଛି। ଗାଧେଇବାବେଳେ ଗୋଡ଼ ଖସି ଯିବା ନଦୀ ସ୍ରୋତରେ ଭାସି ଯାଇଥିଲେ । ଛାତ୍ରୀମାନେ ହେଲେ ଆଲୋନି ଗାଉଁଟିଆ ଓ ଚାନ୍ଦିନୀ ମଲ୍ଲିକ। ସେମାନେ ଭାସି ଯାଉଥିବା ଦେଖି ଅନ୍ୟ ଯୁବତୀମାନେ ଆସି ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରବର୍ତ୍ତୀ ସମୟରେ ଆଲୋନି ଉଦ୍ଧାର ହୋଇଥିବାବେଳେ ଚାନ୍ଦିନୀ ଏବେବି ନିଖୋଜ ଥିବା ଜଣାପଡ଼ିଛି ।
ଏହା ବି ପଢନ୍ତୁ...ବନ୍ୟା ଜଳରେ ଭାସିଗଲେ 2 ମହିଳା, 6ଘଣ୍ଟା ପରେ ଉଦ୍ଧାର
ଖବରପାଇ ପରିବାର ଲୋକେ ସାଙ୍ଗେ ସାଙ୍ଗେ କୋଟଗଡ଼ ଅଗ୍ନିଶମ ବିଭାଗକୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହନୀ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଦେଇଥିଲେ । ତେବେ ଆଲୋନି ଗାଉଁଟିଆଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଥିବାବେଳେ ଚାନ୍ଦିନୀ ମଲ୍ଳିକଙ୍କର କୌଣସି ସନ୍ଧାନ ମିଳିପାରିନାହିଁ ।