ଫୁଲବାଣୀ:ଆତ୍ମସମର୍ପଣ କଲେ ୨ ମାଓବାଦୀ । KKBN ସଂଗଠନର ଦୁଇ ମାଓବାଦୀ ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ରଣଜିତ ନାୟିତମ ଓରଫ ଭୁଟୁଲୁ ଏବଂ ଉଙ୍ଗା ପୋୟମ ଓରଫ ରାଜେଶ । ଏନେଇ କନ୍ଧମାଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି । ଉଭୟ ମାଓବାଦୀ ଆଞ୍ଚଳିକ କମିଟିର ସଭ୍ୟ ହୋଇଥିବା ସୂଚନା ଦେଇଛି ପୋଲିସ ।
ସେମାନେ ଭା.କ.ପା. ମାଓବାଦୀ KKBN ଡିଭିଜନରେ କାର୍ଯ୍ୟ କରି ଆସୁଥିଲେ । ଆତ୍ମସମର୍ପଣ କରିଥିବା ଉଭୟ ମାଓବାଦୀ ଛତିଶଗଡ ଅଞ୍ଚଳର ହୋଇଥିବା ଜଣାପଡିଛି । ସେମାନେ ଉତ୍ତର ଦକ୍ଷିଣ କରିଡର ଝାଡଖଣ୍ଡ, ଛତିଶଗଡ ଅଞ୍ଚଳକୁ ଦକ୍ଷିଣ କେନ୍ଦ୍ର ଓଡିଶା ଦେଇ ସଂଯୋଗ କାର୍ଯ୍ୟରେ ନିୟୋଜିତ ଥିଲେ । ସେମାନେ ଛତିଶଗଡ ଏବଂ ଓଡିଶାରେ ଅନେକ ହିଂସା କାର୍ଯ୍ୟକଳାପରେ ମଧ୍ୟ ଲିପ୍ତ ଥିଲେ ବୋଲି ଜଣାପଡିଛି l
ସୂଚନା ଅନୁସାରେ, ରଣଜିତ ନାୟିତମ ଓ ଉଙ୍ଗା ପୋୟମ ଆତ୍ମ ସମର୍ପଣ କରିବା ପାଇଁ ବୌଦ୍ଧ ଏସପିଙ୍କୁ ଯୋଗାଯୋଗ କରିଥିଲେ । ସରକାରଙ୍କ ଥଇଥାନ ନୀତି ଅନୁସାରେ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଡିଜିପି ପ୍ରକାଶ କରିଛନ୍ତି । ମାଓବାଦୀମାନେ ହିଂସା ପଥ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ମଧ୍ୟ ଡିଜିପି ଆହ୍ୱାନ ଦେଇଛନ୍ତି । ସେହିପରି ମାଓ ପ୍ରଭାବିତ ଅଞ୍ଚଳରେ କୁମ୍ବିଂ ଅପରେସନ ଜୋରଦାର ହେବ ବୋଲି କହିଛନ୍ତି ଡିଜିପି ।