ଜାତୀୟ ସ୍ତରୀୟ ନାଟକ ମହୋତ୍ସବରେ ପ୍ରଦର୍ଶିତ ହେବ ବହୁଭାଷୀ ନାଟକ 'ସୀମା', ରହିଛି ଆଦିବାସୀ କଳାକାରଙ୍କ ନିଖୁିଣ ଅଭିନୟ ଫୁଲବାଣୀ: ଜାତୀୟ ସ୍ତରୀୟ ନାଟକ ମହୋତ୍ସବରେ ପ୍ରଦର୍ଶିତ ହେବ କନ୍ଧମାଳ ଓ ଝାଡ଼ଖଣ୍ଡର କଳାକାରଙ୍କ ଅଭିନୀତ ନାଟକ "ସୀମା" । ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ଏବଂ ଅନନ୍ୟ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଚେତନାର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକ ଏବାର ରଚନା କରିଥିବା ବେଳେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ହିନ୍ଦୀ ଭାଷାରେ ଭାଷାନ୍ତରିତ ନାଟକ "ସୀମା" ଆସନ୍ତା ୧୫ ତାରିଖରେ କୋଲକାତାରେ ଆୟୋଜିତ ଜାତୀୟ ସ୍ତରୀୟ ନାଟକ ଉତ୍ସବରେ ଅଂଶ ଗ୍ରହଣ କରିବ ।
ଏଥିପାଇଁ ଖୋର୍ଦ୍ଧା ନିକଟସ୍ଥ ନାଟ୍ୟଗ୍ରାମରେ ପ୍ରସ୍ତୁତି ଜୋରଦାରରେ ଚାଲିଛି । ପୂର୍ବରୁ ନାଟ୍ୟଗ୍ରାମ ପକ୍ଷରୁ "ସୀମା" ନାଟକ ୨୩ତମ ଲୋକ ନାଟ୍ୟମେଳାରେ ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ଏହି ନାଟକ ଆସନ୍ତା ଡିସେମ୍ବର ୧୩ ତାରିଖ ଦିନ ନାୟିକା ରାଜ୍ୟ ସ୍ତରୀୟ ନାଟକ ଉତ୍ସବ ବାଲେଶ୍ଵରରେ ଏବଂ ଡିସେମ୍ବର ୧୫ ତାରିଖ ଦିନ କୋଲକାତାରେ କେପିଆର ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ନାଟକ ଉତ୍ସବରେ ନାଟ୍ୟଚେତନା ଅନୁଷ୍ଠାନ ଦ୍ବାରା ପ୍ରଦର୍ଶନ କରିବାକୁ ନିମନ୍ତ୍ରିତ ହୋଇଛି ।
ଏହା ମଧ୍ୟ ପଢନ୍ତୁ...ବିଶ୍ୱ ରେକର୍ଡ ଲକ୍ଷ୍ୟରେ ସମ୍ବଲପୁରୀ ନାଟକ ‘କାଏନଜୁରି'
ଏହି ନାଟକରେ କନ୍ଧମାଳ ଉପାନ୍ତ ଅଞ୍ଚଳର ଆଦିମ ଜନଜାତିର ଯୁବକ ଯୁବତୀ ଏବଂ ଝାଡ଼ଖଣ୍ଡର ଆଦିବାସୀ ଯୁବକଯୁବତୀ ଅଂଶ ଗ୍ରହଣ କରୁଛନ୍ତି l ଏହି ନାଟକର ପୃଷ୍ଠଭୂମି ଆଦିବାସୀ ମାନଙ୍କ ଜୀବନଯାପନ ଶୈଳୀ ଏବଂ ତା ଉପରେ ଜଙ୍ଗଲ ଅଧିକାର ଆଇନ ଆସିବା ପରର ପ୍ରଭାବ ଉପରେ ପର୍ଯ୍ୟବେଶିତ । ଏହି ନାଟକର ଅବଧି 1 ଘଣ୍ଟା 10 ମିନିଟ ଅଟେ ।
କନ୍ଧମାଳର ଯୁବ-ନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ବରେ ବାଲିଗୁଡ଼ା ଅଞ୍ଚଳର ସାତଜଣ କଳାକାର ଏଥିରେ ଭାଗ ନେବାର ସୁଯୋଗ ପାଇଛନ୍ତି । ଏହି ନାଟକରେ ସାନ୍ତାଳୀ, କୁଇ ଓ କୋଶଳୀ ଭାଷାଭାଷୀରେ ସଂଳାପ, ସଙ୍ଗୀତ ଓ ନୃତ୍ୟର ପ୍ରୟୋଗ କରାଯାଇଛି l ଦର୍ଶକ ଏକ ସଂଯୁକ୍ତ କଳାର ନାଟକ ଶୁଣି ପାରିବେ ଏବଂ ଦେଖି ପାରିବେ l ନାଟ୍ୟକାର ତଥା ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ନାଟ୍ୟ ଚେତନା ଦ୍ଵାରା ପ୍ରଯୋଜିତ ଏହି ଥିଏଟର ଭାରତୀୟ ଥିଏଟର ଶୈଳୀ ରେ ନିର୍ମିତ ହେଇଥିବାରୁ ଏହାର ସ୍ଵତନ୍ତ୍ରତା ରହିଛି । ଏହା ସମ୍ପୂର୍ଣ୍ଣ ଭାବେ ନିଜସ୍ବ ବାଦ୍ୟ, ନିଜସ୍ବ ଗୀତ ଏବଂ ନିଜସ୍ବ କାହାଣୀରେ ପରିପୃଷ୍ଠ ବୋଲି ନାଟ୍ୟକାର କହିଛନ୍ତି ।
ଇଟିଭି ଭାରତ, କନ୍ଧମାଳ