ଓଡିଶା

odisha

ETV Bharat / state

ଦାରିଙ୍ଗବାଡିରେ ତୁଷାରପାତ, ଜମିବ ପର୍ଯ୍ୟଟକଙ୍କ ଭିଡ଼ - ଶୀତ ରେ ଥରୁଛି କନ୍ଧମାଳ

କନ୍ଧମାଳକୁ ଫେରିଛି ଶୀତ । ଦାରିଙ୍ଗବାଡି ରେ ତୁସାରପାତ ଫଳରେ ଜମିବ ପର୍ଯ୍ୟଟନସ୍ଥଳିରେ ଭିଡ଼ । କନ୍ଧମାଳରେ ହାଡଙ୍ଗା ଶୀତ ହେଉଥିବା ବେଳେ ସର୍ବନିମ୍ନ ତାପମାତ୍ରା ପାଖାପାଖି ୩ ଡିଗ୍ରୀ ତଳ ରହିଛି । ଯାହାକୁ ନେଇ ଧନ ଜନଜୀବନ ଅସ୍ତବ୍ୟସ୍ତ ଥିଲେ ମଧ୍ୟ ପରିବେଶବିତ୍ତମାନେ ଆଶ୍ୱସ୍ତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

କନ୍ଧମାଳକୁ ଫେରିଛି ଶୀତ
କନ୍ଧମାଳକୁ ଫେରିଛି ଶୀତ

By

Published : Jan 9, 2023, 1:48 PM IST

ଫୁଲବାଣୀ: ଶୀତରେ ଥରୁଛି କନ୍ଧମାଳ । ଧନ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଦାରିଙ୍ଗବାଡିରେ ପ୍ରବଳ କାକାର ତୁଷାରପାତର ଭ୍ରମ ସୃଷ୍ଟି କରିଛି । କନ୍ଧମାଳ ଜିଲ୍ଲାରୁ ଶୀତ ଉଭାନ ହୋଇ ଯାଇଥିବା ନେଇ ସମସ୍ତେ ଚିନ୍ତିତ ହୋଇ ପଡିଥିବା ବେଳେ ଜିଲ୍ଲାକୁ ପୁଣି ଫେରିଛି ଶୀତ । ଗତ ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପାଖାପାଖି ୩ ଡିଗ୍ରୀ ତଳକୁ ଖସିବା ଫଳରେ ଥଣ୍ଡାର ପ୍ରକୋପ ହଠାତ ବୃଦ୍ଧି ପାଇଛି ।

ଏଥିସହ ବିଭିନ୍ନ ସ୍ଥାନରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ମଧ୍ୟ ରେକର୍ଡ କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରବିବାର ଫୁଲବାଣୀରେ ରାତି ତାପମାତ୍ରା ୫ ଡିଗ୍ରୀ ଥିବା ବେଳେ ଆଜି ମଧ୍ୟ ୫ଡିଗ୍ରୀରେ ପହଞ୍ଚିଛି । ସେହିଭଳି ଆଜି(ସୋମବାର) ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫ ଓ ସେହିପରି ଜି ଉଦୟଗିରିରେ ୫ ଡିଗ୍ରୀ ରେକର୍ଡ କରାଯାଇଛି । ଏଠାରେ ରବିବାର ରାତି ତାପମାତ୍ରା ୪.୬ ଡିଗ୍ରୀ ରହିଥିଲା ।

ଶୀତର ପ୍ରଭାବରେ ଦାରିଙ୍ଗବାଡି ଅଞ୍ଚଳରେ ତୁଷାରପାତ ହୋଇଥିବା ଖବର ମିଳିଛି । ତେବେ ଶୀତର ପ୍ରତ୍ୟାବର୍ତ୍ତନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲେ ବି ପରିବେଶବିତମାନେ ଆଶ୍ୱସ୍ତ ହୋଇଛନ୍ତି । ସାଧାରଣତଃ କନ୍ଧମାଳ ଜିଲ୍ଲାରେ ଡିସେମ୍ବର ଓ ଜାନୁଆରୀ ଦୁଇ ମାସ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ରାତି ତାପମାତ୍ରା ୪ରୁ ୫ ଡିଗ୍ରୀ ମଧ୍ୟରେ ରହେ । ବେଳେବେଳେ ଏହା ଖସି ଆସିବାର ମଧ୍ୟ ନଜିର ରହିଛି ।

କିନ୍ତୁ ଗତ କିଛି ବର୍ଷ ହେଲା ଶୀତର ମାତ୍ରା କମିବାରେ ଲାଗିଥିବାରୁ ଏହା ଚିନ୍ତାର କାରଣ ପାଲଟିଛି । ଏଭଳି ସ୍ଥଳେ ଗତ ସପ୍ତାହରେ ଜିଲ୍ଲାରୁ ଶୀତ ସମ୍ପୂର୍ଣ୍ଣ ରୂପେ ଗାଏବ ହୋଇଯାଇ ଥିବାରୁ ଏହା ଜିଲ୍ଲାବାସୀଙ୍କ ଚିନ୍ତା ବଢାଇ ଦେଇଥିଲା । କମି ଆସୁଥିବା ତାପମାତ୍ରା ଜିଲ୍ଲାର ଶୀତକାଳୀନ ପର୍ଯ୍ୟଟନ ସାଙ୍ଗକୁ ପରିବା ଚାଷ ଉପରେ ପ୍ରଭାବ ପଡିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଥିଲା ।

ତେବେ ଗତ ଦୁଇ ଦିନ ହେଲା ଶୀତ ପୁଣି ବଢିଥିବାରୁ ସମସ୍ତେ ଏକ ପ୍ରକାର ଆଶ୍ୱସ୍ତ ହୋଇଛନ୍ତି । ବିଶେଷ କରି ମାନ୍ଦା ପଡିଥିବା ଦାରିଙ୍ଗବାଡିର ପର୍ଯ୍ୟଟନ ପୁଣିଥରେ ଜୋର ଧରିବ ବୋଲି ଅନୁମାନ କରାଯାଉଛି । ଜିଲ୍ଲା ସଦରମହକୁମା ଫୁଲବାଣୀ ସମେତ ଦାରିଙ୍ଗବାଡି, ଜି ଉଦୟଗିରି, ବାଲିଗୁଡା, ବେଲଘର ଓ ଅନ୍ୟ ଆଭ୍ୟନ୍ତରୀଣ ଅଞ୍ଚଳମାନଙ୍କରେ ଗତ ଦୁଇ ଦିନ ହେଲା ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ।

ସଂଧ୍ୟା ପରେ ଘରୁ ବାହାରିବା ଅସମ୍ଭବ ହୋଇ ପଡିଛି । ସେହିପରି ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡି ଯୋଗୁଁ ଯାତାୟାତ ସମ୍ଭବ ହେଉନାହିଁ । ଅନେକ ସ୍ଥାନରେ ଲୋକେ ନିଆଁ ପୋଇଁ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଛନ୍ତି । ଶୀତର ପ୍ରକୋପ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ପରିପ୍ରେକ୍ଷୀରେ ଜିଲ୍ଲାବାସୀଙ୍କୁ ସତର୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ABOUT THE AUTHOR

...view details