ଫୁଲବାଣୀ :କାର୍ଯ୍ୟକ୍ଷମ ହେଲା ସମ୍ମନ୍ବିତ ଭିତ୍ତିଭୂମି ପରିସର । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ଉପସ୍ଥିତ ରହି ବନବାସୀର ଭାମ୍ର୍ୟମାଣ ସ୍ୱାସ୍ଥ୍ୟ ଭ୍ୟାନକୁ ଉଦଘାଟନ କରିଥିଲେ । ସେହିଭଳି ନିପିଡ଼ିତର ଫିଜିଓଥେରାପି ଓ ଆଶ୍ରାର ଜରାନିବାସକୁ ମଧ୍ୟ ଉଦଘାଟିତ କରିଥିଲେ । ଜିଲ୍ଲାପାଳ ଆଶ୍ରାରେ ରହିଥିବା ବୃଦ୍ଧବୃଦ୍ଧାଙ୍କ ସହିତ କଥା ହେବାସହ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଫିଜିଓଥେରାପିରେ କ'ଣ ସେବା ରହିଛି ସେ ବିଷୟରେ ପଚାରି ବୁଝିଥିଲେ । ବରିଷ୍ଠ ନାଗରିକମାନେ କିପରି ଏହାର ସୁବିଧା ନେଇ ପାରିବେ ସେ ନେଇ ବନବାସୀର ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡାଙ୍କ ସହିତ କଥା ହୋଇଥିଲେ ।
ଗତ ନଭେମ୍ବର ୨୦୨୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଲବାଣୀ ଗସ୍ତରେ ଆସି କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଯୋଜନା ସହିତ ସମ୍ମନ୍ବିତ ଭିତ୍ତିଭୂମି ପରିସର ବା ଜରାନିବାସକୁ ଉଦଘାଟିତ କରିଥିଲେ । ଏହି ଭିତ୍ତିଭୂମି ପରିସରରେ ଅସହାୟ ବୃଦ୍ଧ ବୃଦ୍ଧାଙ୍କ ପାଇଁ ୨୦୦ଟି ଶଯ୍ୟା ରହିଥିବାବେଳେ ସେମାନଙ୍କ ପାଇଁ ରହିବା ଖାଇବା ସହିତ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହା ସହିତ ଭାମ୍ର୍ୟମାଣ ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନସ୍, ଫିଜିଓଥେରାପି ସେଣ୍ଟର ଯେଉଁ ଠାରେ ଅତ୍ୟାଧୁନିକ ସରଞ୍ଜାମ ରହିଛି । ଯାହା ବରିଷ୍ଠ ନାଗରିକ ଓ ଜରାନିବାସରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି ।
ଏହି ପରିସରରେ ମଧ୍ୟରେ ଆଗାମୀ ଦିନରେ ରାସ୍ତାରେ ବୁଲି ଭିକ୍ଷା କରୁଥିବା ଲୋକଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମସ୍ତ କାର୍ଯ୍ୟ ଏହି ସମ୍ମନ୍ବିତ ଭିତ୍ତିଭୂମି ପରିସରରେ କରାଯିବାକୁ ସ୍ଥିର କରାଯାଇଛି ।