ଫୁଲବାଣୀ: ପୁଅ ଭୁଲି ଗଲା ମାଆର ମମତା । ପରିଣତ ବୟସରେ ମାଆର ସାହାର ପାଲଟିବା ବଦଳରେ ହତ୍ୟାକାରୀ ପାଲଟିଗଲା ସନ୍ତାନ । ଯେଉଁ ମାଆ ଦିନ ରାତି ଏକ କରି ପୁଅକୁ ଛୋଟରୁ ବଡ଼ କରିଥିଲା ଆଜି ସେହି ପୁଅ ପାଲଟିଗଲା ପିଶାଚ । ଅତି ନିର୍ଦ୍ଦୟ ଭାବେ ହତ୍ୟା କରିବା ପରେ ଘରେ ଭିତରେ ମାଆକୁ ପୋଡ଼ି ଦେଲା ମାତୃହନ୍ତା । ମସାଣୀ ନୁହଁ ବରଂ ଘରେ ଭିତରେ ଆସବାବପତ୍ର ଏବଂ ଜାଳେଣି କାଠରେ ମାଆର ମୃତଦେହକୁ ପୋଡିଦେଲା ପୁଅ । ଏଭଳି ହୃହୟ ବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଞ୍ଚଳରେ। ମୃତ ବୃଦ୍ଧା ହେଉଛନ୍ତି 95 ବର୍ଷିୟ ମଞ୍ଜୁଳା ନାୟକ । ତାଙ୍କ ପୁଅ ହେଉଛନ୍ତି ସମୀର ନାୟକ । ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ସମୀର ନାୟକ ଶନିବାର ବିଳମ୍ବିତ ରାତିରେ ମାଆ ମଞ୍ଜୁଳା ନାୟକଙ୍କୁ ହତ୍ୟା କରିଥିଲେ । ଏହାପରେ ଘରେ ଥିବା ଆସବାପତ୍ର ଏବଂ ଜାଳେଣି କାଠରେ ଘର ଭିତରେ ହିଁ ମୃତଦେହକୁ ପୋଡ଼ି ଦେଇଥିଲେ । ପରେ ସାହି ପଡ଼ିଶାଙ୍କ ଘର ଉପରକୁ ବଡ଼ ବଡ଼ ପଥର ମାରିବା ସହିତ ଘର ସାମ୍ନାରେ ଥିବା ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଥିଲେ । ପାଖ ପଡ଼ିଶା ଲୋକେ ଘର ଭିତରେ ନିଆଁ ଜଳୁଥିବା ଦେଖିଥିଲେ ମଧ୍ୟ ଭୟରେ ବାହାରକୁ ବାହାରିନଥିଲେ । ରବିବାର ସକାଳୁ ଗାଁ ଲୋକ ସମୀରଙ୍କୁ ବହୁ କଷ୍ଟରେ କାବୁ କରି ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେବା ପରେ ଟିକାବାଲି ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ସମୀରକୁ ଥାନାକୁ ନେଇଥିଲା ।