ଫୁଲବାଣୀ: ସେବାଶ୍ରମ ଛାତ୍ରୀ ମୃତ୍ୟୁ ମାମଲା । ଏସଟି କମିଶନଙ୍କୁ ରିପୋର୍ଟ ଦେଲା ଜିଲ୍ଲା ପ୍ରଶାସନ । ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ସେବାଶ୍ରମ ସପ୍ତମ ଶ୍ରେଣୀ ଛାତ୍ରୀର ସନ୍ତାନ ପ୍ରସବ ଓ ମୃତ୍ୟୁ ଘଟଣାରେ ଜାତୀୟ ଏସଟି କମିଶନ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଥିଲେ । ଏହି ସମ୍ବେଦନଶୀଳ ଘଟଣାରେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେ ନେଇ ରିପୋର୍ଟ ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଥିଲେ ।
ଏହି ଘଟଣାରେ ପ୍ରଶାସନ ପକ୍ଷରୁ ହଷ୍ଟେଲର ମାଟ୍ରନଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ତେବେ ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନକୁ କେବଳ ତାଳିପକା କାମ ବୋଲି ଅଭିଯୋଗ କରି ବିଜେପି ଯୁବମୋର୍ଚ୍ଚା ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ଆନ୍ଦୋଳନ ଜାରି ରଖିଛି । ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୪ ତାରିଖରେ ହେଲଥ ଚେକ ଅପ ବେଳେ ନାବାଳିକା ଛାତ୍ରୀ ଜଣକ ଗର୍ଭବତୀ ହୋଇଥିବା ଜଣାପଡିଥିଲା । ଏହାପରେ ପ୍ରଧାନ ଶିକ୍ଷକ ବେଲଘର ଥାନାରେ ଏତଲା ଦେଇଥିଲେ । ପ୍ରଶାସନ ପକ୍ଷରୁ ପୀଡିତା ଛାତ୍ରୀଙ୍କୁ ଜି .ଉଦୟଗିରିସ୍ଥିତ ଏକ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯାଇଥିଲା । ନଭେମ୍ବର ୫ ତାରିଖ ଦିନ ସେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରଦିନ ସେ ଏକ ମୃତ ସନ୍ତାନ ପ୍ରସବ ପରେ ନିଜେ ମୃତ୍ୟୁବରଣ କରିଥିଲେ ।