ଫୁଲବାଣୀ:ଦ୍ୟାଳୟର ଛାତ୍ରାବାସରେ ଛାତ୍ରଙ୍କୁ ରାଗିଂ, ସପ୍ତମ ଶ୍ରେଣୀର ଛାତ୍ରଙ୍କୁ ମାଡ ମାରିଲେ ଦଶମ ଶ୍ରେଣୀର ଛାତ୍ର, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓରେ ଜଣେ ଦଶମ ଶ୍ରେଣୀର ଛାତ୍ର ଛାତ୍ରାବାସର ଏକ ରୁମରେ ଜଣେ ସପ୍ତମ ଶ୍ରେଣୀର ଛାତ୍ରଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ମାଡ ମାରୁଥିବା ଦେଖିବାକୁ ମିଳିଛି । ସେହିପରି ଆଉ ଏକ ଦୃଶ୍ୟରେ ୨ଜଣ ଦଶମ ଶ୍ରେଣୀର ଛାତ୍ର ୪ ଜଣ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରୁଥିବା ଦେଖିବାକୁ ମିଳିଛି ।
ଭାଇରାଲ ଭିଡିଓରେ ପୁରା ହିରୋଙ୍କ ଷ୍ଟାଇଲରେ ସିନିୟର ଛାତ୍ର ଜୁନିୟରଙ୍କୁ ମାଡ ମାରୁଥିବା ଦେଖିବାକୁ ମିଳିଛି । କେତେବେଳେ ଗୋଡରେ ତ କେତେବେଳେ ହାତରେ ପୁଣି କେତେବେଳେ ବାଡିରେ ମାଡ ମାରୁଛନ୍ତି । ଭାଇରାଲ ହୋଇଥିବା ଏହି ଭିଡିଓ ହେଉଛି ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡିରେ ଥିବା ମଙ୍ଗଳ ବିଭାଗର ଏକ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସର । ଗତ ମଙ୍ଗଳବାର ଜୁନିୟର ଛାତ୍ରଙ୍କୁ ଏପରି ମାଡ ମାରିଥିଲେ ସିନିୟର ଛାତ୍ର ।
ଏହି ଘଟଣାରେ ଉତ୍ତେଜନା ପ୍ରକାଶ ପାଇବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଛାତ୍ରାବାସରୁ ଦଶମ ଶ୍ରେଣୀର ଦୁଇ ଛାତ୍ରଙ୍କୁ ଏକ ସ୍ବତନ୍ତ୍ର ଟିମ ମାଧ୍ୟମରେ ସେମାନଙ୍କ ଗ୍ରାମକୁ ପଠାଇ ଦିଆଯାଇଥିବା ବେଳେ ମାଡ଼ ଖାଇଥିବା ସପ୍ତମ ଶ୍ରେଣୀ ଛାତ୍ର ମାନଙ୍କର ମାନସିକ ଅବସ୍ଥା ଭଲ ନଥିବାରୁ ସେମାନଙ୍କୁ ବୁଝାସୁଝା କରାଯାଉଛି । ତେବେ ଦଶମ ଶ୍ରେଣୀର ଛାତ୍ର ମାନେ କିଛି ବେଆଇନ କାର୍ଯ୍ୟ କରୁଥିବା ବେଳେ ସପ୍ତମ ଶ୍ରେଣୀ ଛାତ୍ର ଏହା ଦେଖି ଦେଇଥିଲେ, ଏ ସମ୍ପର୍କରେ କାହାରିକୁ ନକହିବା ପାଇଁ ଧମକ ଚମକ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ସିନିୟର ଛାତ୍ର । ଭିଡିଓଟିକୁ ଦଶମ ଶ୍ରେଣୀର ଛାତ୍ର ମାନେ ମାଡ ମାରୁଥିବା ସମୟରେ ନିଜେ ସୁଟିଂ କରି ଭାଇରାଲ କରିଥିବା ଶୁଣିବାକୁ ମିଳୁଛି l ତେବେ ପିଲାଙ୍କ ଦାୟିତ୍ୱରେ ଶିକ୍ଷକ ଶିକ୍ଷୟିତ୍ରୀ, ସୁପରିଟେଣ୍ଡେଣ୍ଟ ଥିଲେ ମଧ୍ୟ ଏଭଳି ଅମାନୁଷିକ ଘଟଣା କିଭଳି ଘଟିଲା ଆଉ ପାଖରେ ମୋବାଇଲ ରଖି ପିଲା ମାନେ କିପରି ଭିଡିଓ ସୁଟିଂ କଲେ ସେନେଇ ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି ।