ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧରେ ଏପ୍ରିଲ ବାର ତାରିଖରେ ସୂଚନା ଅଧିକାର କର୍ମୀ ଜିଆଉଦ୍ଦିନ ଅହମ୍ମଦଙ୍କୁ ବିଜେଡିର ନେତା ଓ କର୍ମୀ ମାଡ ମାରିବା ଘଟଣାରେ ଜାତୀୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି । ଆସନ୍ତା ଚାରି ସପ୍ତାହ ମଧ୍ୟରେ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ରିପୋର୍ଟ କମିଶନଙ୍କ ନିକଟରେ ଦାଖଲ କରିବାକୁ ଜାତୀୟ କମିଶନ୍ କନ୍ଧମାଳ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କମିଶନ ଆସନ୍ତା ଜୁନ୍ ଦଶ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି।
ସୂଚନାଯୋଗ୍ୟ ଯେ, ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଲାବଣ୍ୟନଗର ଠାରେ ରାଜ୍ୟ ସୂଚନା ଅଧିକାର ଅଭିଯାନର ଜିଲା ସଂଯୋଜକ ତଥା ସମାଜସେବୀ ଜିଆଉଦ୍ଦିନ ଅହମ୍ମଦ ଓ ସହଯୋଗୀ ମାନେ କନ୍ଧମାଳ ଲୋକସଭା ଆସନର ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତଙ୍କ ସମ୍ପର୍କରେ ଲେଖାଥିବା ଏକ ପ୍ରଚାରପତ୍ର ବାଣ୍ଟୁଥିଲେ । ତାଙ୍କ ସହିତ ରାଜ୍ୟ ସୂଚନା ଅଧିକାର ଅଭିଯାନର ରାଜ୍ୟ ସଂଯୋଜକ ପ୍ରଦୀପ ପ୍ରଧାନ ଓ ଅନ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ଦଶରୁ ଅଧିକ ବିଜେଡି ନେତା ଓ କର୍ମୀ ପହଞ୍ଚି ଜିଆଉଦ୍ଦିନଙ୍କୁ ଅପହରଣ କରିବା ସହିତ ନିସ୍ତୁକ ମାଡ ମାରିଥିଲେ ।