ଓଡିଶା

odisha

By

Published : Mar 13, 2023, 6:45 AM IST

ETV Bharat / state

ପୂର୍ବତନ ସାଂସଦଙ୍କ ପୋଷ୍ୟ ପଞ୍ଚାୟତର ବିକଳ ଚିତ୍ର, ରାସ୍ତା ନଥିବାରୁ ମୃତଦେହ ଖଟିଆରେ ବୋହିଲେ ସମ୍ପର୍କୀୟ

କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ବିଲାବାଡି ପଞ୍ଚାୟତକୁ ନାହିଁ ରାସ୍ତା । ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମୃତଦେହକୁ ଖଟିଆରେ ବୋହିଲେ ସମ୍ପର୍କୀୟ । ଅଧିକ ପଢ଼ନ୍ତୁ

ରାସ୍ତା ନଥିବାରୁ ମୃତଦେହ ଖଟିଆରେ ବୋହିଲେ ସମ୍ପର୍କୀୟ
ରାସ୍ତା ନଥିବାରୁ ମୃତଦେହ ଖଟିଆରେ ବୋହିଲେ ସମ୍ପର୍କୀୟ

ରାସ୍ତା ନଥିବାରୁ ମୃତଦେହ ଖଟିଆରେ ବୋହିଲେ ସମ୍ପର୍କୀୟ

ଫୁଲବାଣୀ: ଦେଶ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛି । ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଭଳି କୌଣସି ସୁବିଧା ଏସବୁ ଅଞ୍ଚଳରେ ପହଞ୍ଚି ପାରିନାହିଁ । ଏପରିକି ସବୁଦିନିଆ ରାସ୍ତା ଖଣ୍ଡେ ମଧ୍ୟ ନିର୍ମାଣ ହୋଇ ପାରିନାହିଁ । ରୋଗ ବୈରାଗ ହେଲେ ଗାଁକୁ ଆସି ପାରୁନି ଆମ୍ବୁଲାନ୍ସ । ଭାରକରି ବୋହି ନେବାକୁ ପଡୁଛି ରୋଗୀକୁ, ସେହିଭଳି ଡାକ୍ତରଖାନାରେ କେହି ମୃତ୍ୟୁ ବରଣ କଲେ ଗାଁରେ ମୃତଦେହ ପହଞ୍ଚାଇବା ମଧ୍ୟ କାଠିକର ପାଠ ହେଉଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖଜୁରୀପଡା ବ୍ଲକ ବିଲାବାଡି ପଞ୍ଚାୟତରେ ।

ଏହି ପଞ୍ଚାୟତ ଅନ୍ତର୍ଗତ ସମାପାଜୁ ଗ୍ରାମର ରୋହିତ କହଁର ଶୁକ୍ରବାର ସଦର ଥାନା ତୁଡିପାଜୁ ଘାଟିରେ ଏକ ବାଇକ ଦୁର୍ଘଟଣାର ଶିକାର ହୋଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ବରଣ କରିଥିଲେ । ଗତକାଲି ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ମୃତଦେହ ଗାଁକୁ ନେବା ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ସମ୍ପର୍କୀୟ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମହାପ୍ରୟାଣ ଗାଡି ସହ ଯୋଗାଯୋଗ କରିବାରୁ ଏହା ଖରାପ ଥିବା ଜଣାପଡିଥିଲା । ଫଳରେ ବାଧ୍ୟ ହୋଇ ପରିବାର ଲୋକେ ଏକ ବେସରକାରୀ ଗାଡି ଭଡା କରି ଗାଁକୁ ମୃତଦେହ ନେଇଥିଲେ ।

ସୂଚନାଯୋଗ୍ୟ, ଫୁଲବାଣୀରୁ ବିଲାବାଡି ପଞ୍ଚାୟତ ସମାପାଜୁ ଗ୍ରାମ ୫୦ କିମି ଦୂର ହୋଇଥିବା ବେଳେ ପଞ୍ଚାୟତ ମୁଖ୍ୟାଳୟ ବିଲାବାଡି ଠାରୁ ୮ କିମି ଦୂରରେ ରହିଛି । କିନ୍ତୁ ଏହି ୮ କିମି ଯିବାପାଇଁ କୌଣସି ରାସ୍ତା ନାହିଁ । ବାଟରେ କରଡାବଣି ଓ ଟିକିରାସାହି ନାଳ ରହିଛି । ନାଳ ଉପରେ ପୋଲ ନଥିବାରୁ ଗାଡି ଯାଇ ପାରୁନାହିଁ । ଫଳରେ ପରିବାର ଲୋକେ ବାଧ୍ୟ ହୋଇ ବୌଦ୍ଧ ଜିଲ୍ଲା ଚାରିଛକ ଦେଇ ପ୍ରାୟ ୯୦ କିମି ରାସ୍ତା ଅତିକ୍ରମ କରି ରୋହିତଙ୍କ ମୃତଦେହ ଗାଁକୁ ନେଇଥିଲେ । ଏପଟେ ମଧ୍ୟ ଗାଁ ଠାରୁ ପ୍ରାୟ ୫୦୦ ମିଟର ଦୂରରେ ରହିଥିବା ବଡନାଳ ପାଖରେ ରହିଥିଲା ଗାଡି । ସେଠାରୁ ଖଟିଆରେ ବୋହି ମୃତଦେହକୁ ଘର ପର୍ଯ୍ୟନ୍ତ ନେଲେ ସମ୍ପର୍କୀୟମାନେ ।

ତେବେ ଦୀର୍ଘ ଦିନରୁ ଏଭଳି ସମସ୍ୟା ଭୋଗ କରୁଥିବା କହିଛନ୍ତି ବିଲାବାଡି ସରପଞ୍ଚ ରବୀନ୍ଦ୍ର ଭୂକ୍ତା । ଏହି ସମସ୍ୟା ସମ୍ପର୍କରେ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ସେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଗତ ୨୦୧୮ ମସିହାରେ ତତ୍କାଳୀନ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ବିଲାବାଡି ପଞ୍ଚାୟତକୁ ପୋଷ୍ୟ ପଞ୍ଚାୟତ ଭାବେ ଗ୍ରହଣ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ବଦଳି ନାହିଁ ଏହି ଦୁର୍ଗମ ପଞ୍ଚାୟତର ଭାଗ୍ୟ । ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଆଦି ସବୁ ଦୃଷ୍ଟିରୁ ପଛୁଆ ଏହି ଅଞ୍ଚଳ ଆଜି ପର୍ଯ୍ୟନ୍ତ ଏକ ବିଚ୍ଛିନ୍ନାଞ୍ଚଳ ହୋଇ ରହିଛି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details