କନ୍ଧମାଳ:କନ୍ଧମାଳ ଜିଲ୍ଲାର ଶିଶୁ ରାଜବୀର । ଯିଏକି ଏକ ମାରାତ୍ମକ ରୋଗରେ ପୀଡ଼ିତ ଥିବାବେଳେ ଚିକିତ୍ସା ପାଇଁ ଆବଶ୍ୟକ ୧୬ କୋଟି ମୂଲ୍ୟର ଇଞ୍ଜେକ୍ସନ । ପିତାମାତା ଏତେ ଟଙ୍କା ଖର୍ଚ୍ଚ ପାଇଁ ଅସମର୍ଥ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଆଶାରେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଯାଇଥିଲେ । ମାତ୍ର ଜିଲ୍ଲାପାଳ କୋରୋନା ସଂକ୍ରମଣ ଆଳ ଦେଖାଇ ଭେଟିନଥିବା ପରିବାର ପକ୍ଷରୁ ହୋଇଛି ଅଭିଯୋଗ ।
ମିଳିଥିବା ସୂଚନା ଅନୁସାରେ, ରାଜବୀର 22ମାର୍ଚ୍ଚ 2020ରେ ଜନ୍ମ ଗ୍ରହଣ କରିଥିଲେ । ଜନ୍ମର 6 ମାସ ପର୍ଯ୍ୟନ୍ତ ରାଜବୀରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ବାଭାବିକ ଥିଲା । କିନ୍ତୁ ପରେ ତାଙ୍କର ଗୋଡ, ହାତ ଓ ପିଠି ତୁଳା ପରି ଲାଗିବାକୁ ଆରମ୍ଭ କରିଥିଲା । ପରିବାର ଲୋକେ ମେଡିକାଲ ନେଇ ଦେଖାଇଥିଲେ। ଏହା ଏକ ସ୍ପାଇନାଲ ମସ୍କୁଲାର ଆଟ୍ରଫି ଟାଇପ-2 ରୋଗରେ ସେ ପୀଡିତ ଥିବା ଜଣାପଡିଥିଲା । ବାପା କୁଳମଣି ବେଙ୍ଗାଲୁରୁରେ ଡେଲିଭରୀ ବଏ ଭାବେ କାମ କରିଥାନ୍ତି ।
ସେପଟେ ପୁଅର ଦେହ ଅଧିକ ଖରାପ ହେବାରୁ ବେଙ୍ଗାଲୁରୁସ୍ଥିତ ବାପିଷ୍ଟ ହସ୍ପିଟାଲରେ ପୁଅର ଚିକିତ୍ସା କରାଉଛନ୍ତି । ନିଜ ପାଖରୁ ଏଣୁ ତେଣୁ କରି ପୁଅ ପାଇଁ 5 ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରିସାରିଲେଣି । ଆଉ ଖର୍ଚ୍ଚ କରିବାକୁ କୁଳମଣିଙ୍କ ନିକଟରେ ଅର୍ଥ ଅଭାବ ରହିଛି । କାରଣ ପୁଅକୁ ଭଲ କରିବା ପାଇଁ ଏକ ଦାମୀ ଇଞ୍ଜେକ୍ସନ ଆମେରିକାରୁ କିଣା ହେବ । ଯାହା ପାଇଁ 16 କୋଟି ଟଙ୍କାର ଆବଶ୍ୟକ ରହିଛି । ବାପା କୁଳମଣି ସୋସିଆଲ ମିଡି଼ଆରେ ନିବେଦନ କରିବା ପରେ 4 ଲକ୍ଷ ଯୋଗାଡ଼ ହୋଇଛି ।
ଏହାସହିତ ପରିବାର ଲୋକେ ଅଭିନେତା ସୋନୁ ସୁଦଙ୍କୁ ଭେଟିବା ସହିତ ଆର୍ଥିକ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି । କାରଣ ଏତେ ପରିମାଣର ଟଙ୍କା ଯୋଗାଡ଼ କରିବା କୁଳମଣିଙ୍କ କ୍ଷେତ୍ରେ ଅସମ୍ଭବ ଥିବା ବେଳେ ସାଧରଣ ଲୋକଙ୍କ ପାଖରୁ କେତେ ବା ସହାୟତା ମିଳିବ। କୁଳମଣି ପୁଅର ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛନ୍ତି ।