ଫୁଲବାଣୀ:ଜିଲ୍ଲାରେ ଚାଇଲ୍ଡ ଲାଇନ ବନ୍ଦ ହୋଇଯାଇଥିବାରୁ ସାମ୍ବାଦିକ ସମ୍ମିଳନୀ କଲେ ପୂର୍ବରୁ କାର୍ଯ୍ୟ କରୁଥିବା କର୍ମଚାରୀ । ଅଗଷ୍ଟ ୩୧ ତାରିଖରେ କନ୍ଧମାଳ ଜିଲ୍ଲାର ଚାଇଲ୍ଡ ଲାଇନ ବନ୍ଦ ରହିଛି । ଯାହାକୁ ନେଇ ବନାନୀ କଳାସଙ୍ଗମଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କନ୍ଧମାଳ ଚାଇଲ୍ଡ ଲାଇନ ବିପଦରେ ପଡ଼ିଥିବା ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରି ସୁରକ୍ଷା ଯୋଗାଇ ଦେଇ ଥଇଥାନ କରାଉଥିଲେ । ୧୦୯୮ଟୋଲ୍ ଫ୍ରି' ନମ୍ବର ମାଧ୍ୟମରେ ଚାଇଲ୍ଡଲାଇନ ତ୍ୱରିତ ସେବା ଯୋଗାଇ ଦେଶରେ ସୁନାମ ଅର୍ଜନ କରିଥବାରୁ କେନ୍ଦ୍ର ସରକାର ଏହାକୁ 'ମିଶନ ବାତ୍ସଲ୍ୟ'ରେ ଜରୁରୀକାଳୀନ ଫୋନ ନମ୍ବର ୧୧୨ରେ ମିଶାଇ ଦେଇଛନ୍ତି । ଦେଶରେ ଚାଇଲ୍ଡ ଲାଇନ ୨୩ ବର୍ଷ ଧରି କାର୍ଯ୍ୟ କରି ଆସୁଥିବାବେଳେ କନ୍ଧମାଳରେ ଗତ ୧୨ ବର୍ଷ ଧରି କାର୍ଯ୍ୟ କରି ଆସୁଛି ।
ବର୍ତ୍ତମାନର 'ମିଶନ ବାତ୍ସଲ୍ୟ' ନୂଆ ଯୋଜନାରେ ଅଭିଜ୍ଞତା ଥିବା ପୁରୁଣା କର୍ମଚାରୀଙ୍କୁ ଅଗ୍ରାଧିକାର ଦେଇ ନିଯୁକ୍ତି ଦେବାକୁ ପ୍ରେସମିଟରେ ଜରିଆରେ ସରକାରଙ୍କୁ ଦାବି କରାଯାଇଛି । ଏନେଇ ଟିମ୍ ଲିଡର ଶିବ ଶଙ୍କର ବେହେରା କହିଛନ୍ତି, "ଚାଇଲ୍ଡ ଲାଇନ ବନ୍ଦ ହେବା ଫଳରେ ଏଥିରେ କାର୍ଯ୍ୟରତ ୮ଜଣ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଇଛି । ସେମାନଙ୍କ ଚାକିରି କରିବା ବୟସ ଅତିକ୍ରାନ୍ତ ହୋଇଯାଇଥିବାରୁ ଅନ୍ୟ କୌଣସି କାମ ମିଳୁନାହିଁ । ଅକ୍ଳାନ୍ତ ପରିଶ୍ରମ ଫଳରେ ଚାଇଲ୍ଡ ଲାଇନ୍ ଦେଶରେ ସଫଳତା ପାଇ ସୁନାମ ଅର୍ଜନ କରିପାରିଛି । ତେଣୁ ଚାଇଲ୍ଡ ଲାଇନର କର୍ତ୍ତବ୍ୟନିଷ୍ଠ ଅଭିଜ୍ଞ କର୍ମଚାରୀମାନଙ୍କୁ ନୂତନ ଯୋଜନା 'ମିଶନ ବାତ୍ସଲ୍ୟ'ରେ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ ।"
ଅଗଷ୍ଟ ୩୧ ତାରିଖରୁ ଚାଇଲ୍ଡ ଲାଇନ ଟୋଲଫ୍ରି ନମ୍ବର ୧୦୯୮କୁ ସରକାର ବନ୍ଦ କରିଦେଇଥିବାରୁ ନିର୍ଯାତିତ ଶିଶୁଙ୍କ ସୁରକ୍ଷା ପାଇଁ କୌଣସି ସୁବିଧା କରାଯାଇନାହିଁ । ଚାଇଲ୍ଡ ଲାଇନ୍ କର୍ମଚାରୀମାନେ ଅତି ସ୍ୱଳ୍ପ ବେତନରେ କାମ କରୁଥିବାବେଳେ ବର୍ତ୍ତମାନ ରୋଜଗାର ହରାଇଛନ୍ତି । ତେବେ ମିଶନ ବାତ୍ସଲ୍ୟରେ ଅଧିକ ଦରମା ମିଳୁଥିବାବେଳେ ସେମାନଙ୍କୁ ନିଯୁକ୍ତି ଦେଲେ ସେମାନେ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି । ଏହାସହ ନିର୍ଯାତନାର ଶିକାର ହେଉଥିବା ଶିଶୁ ତ୍ୱରିତ ଉପକୃତ ମଧ୍ୟ ହୋଇପାରିବେ ।