ଫୁଲବାଣୀ: ରାସ୍ତାଘାଟର ଅଭାବ କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳବାସୀଙ୍କ ଜୀବନକୁ ଦୁର୍ବିସହ କରି ରଖିଛି । କେଉଁଠି ନିତି ଦିନିଆ ରାସ୍ତା ଖଣ୍ଡିଏ ନାହିଁ ତ ଆଉ କେଉଁଠି ନଦୀ ଉପରେ ପୋଲ ନ ଥିବାରୁ ଯାତାୟତ ସମ୍ଭବ ହୋଇ ପାରୁନାହିଁ । ପିଲାମାନେ ନା ସ୍କୁଲ, କଲେଜ ଯାଇପାରୁଛନ୍ତି ନା ଆବଶ୍ୟକ ସମୟରେ ପହଞ୍ଚି ପାରୁଛି ଆମ୍ବୁଲାନ୍ସ ସେବା । ବିଶେଷକରି ଅସୁସ୍ଥ ଓ ଗର୍ଭବତୀ ମହିଳାଙ୍କ ପାଇଁ ଏହା ଘୋର ସମସ୍ୟା ସୃଷ୍ଟି କରିଛି । ଆସନ୍ନ ପ୍ରସବା ମହିଳାମାନଙ୍କୁ ଦୋଳି କରି ଡାକ୍ତରଖାନା ବୋହି ନେବା କନ୍ଧମାଳ ଜିଲ୍ଲାରେ ଏକ ସାଧାରଣ ଘଟଣା ପାଲଟିଛି । ପୁଣିଥରେ ଜନନୀ ଯନ୍ତ୍ରଣାର ଏହିଭଳି ଆଉ ଏକ ଦାରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ସଲାଗୁଡା ଗ୍ରାମପଞ୍ଚାୟତର ଡୁମିରିଗାଟା ଗ୍ରାମରେ । ଏଠାରେ ଜଣେ ୯ ମାସର ଗର୍ଭବତୀଙ୍କୁ ହଣ୍ଡା ଭିତରେ ବସି ବିପଦଜନକ ଭାବେ ଭରା ନଈ ପାର୍ ହେବାକୁ ପଡିଛି ।
ସୂଚନା ଅନୁଯାୟୀ, ସଲାଗୁଡା ପଞ୍ଚାୟତର ଡୁମୁରିଗାଟା ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ଠାରୁ ପ୍ରାୟ ୧୦ କିମି ଦୂର । ଏଠାରୁ ୩ କିମି ଦୂରରେ ଥିବା ବଦାପାଜୁ ପହଞ୍ଚିଲେ ଅନ୍ୟ ସ୍ଥାନକୁ ଯିବା ପାଇଁ ରାସ୍ତା ମିଳେ । ତେବେ ମଝିରେ ରହିଛି ବାଘ ନଦୀ । ନଦୀ ଉପରେ ପୋଲ ନ ଥିବାରୁ ଡୁମୁରିଗାଟା ଗ୍ରାମ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ସୋମବାର ଏହି ଗ୍ରାମର ବିଷ୍ଣୁ ମଲିକଙ୍କ ସ୍ତ୍ରୀ ଝୁନୁ ମଲ୍ଲିକଙ୍କ ପ୍ରସବ ବେଦନା ହୋଇଥିଲା । କିନ୍ତୁ ଗ୍ରାମରେ ମେଡିକାଲ ନେବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଗାଁ ପର୍ଯ୍ୟନ୍ତ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡି ଆସିବା ସମ୍ଭବ ହୁଏ ନାହିଁ । ଏପଟେ ଗତ ଲଗାଣ ବର୍ଷା ପରେ ବାଘ ନଦୀରେ କୂଳ ଖାଇ ପାଣି ଚାଲିଛି ।
ତେଣୁ ବାଧ୍ୟ ହୋଇ ସ୍ବାମୀ ବିଷ୍ଣୁ ମଲ୍ଲିକ ଏବଂ ତାଙ୍କର ଦାଦା ଜୀବନକୁ ବାଜି ଲଗେଇ ଝୁନୁଙ୍କୁ ଏକ ବଡ ହଣ୍ଡାରେ ବସାଇ ନଦୀ ପାର କରି ବଦାପାଜୁ ପର୍ଯ୍ୟନ୍ତ ଆଣିଥିଲେ । ବଦାପାଜୁ ଆଶାକର୍ମୀ କଟ୍ରିଙ୍ଗିଆରେ ଥିବା ମାଆ ଗୃହକୁ ଖବର ଦେଇଥିଲେ । ମାଆ ଗୃହର କର୍ମଚାରୀ ବଦାପାଜୁ ଯାଇ ସେଠାରୁ ତାଙ୍କୁ କଟ୍ରିଙ୍ଗିଆ ମାଆ ଗୃହକୁ ଆଣିଥିଲେ । ବର୍ତ୍ତମାନ ମହିଳା ଜଣକ ପ୍ରସବ ଅପେକ୍ଷାରେ ମାଆ ଗୃହରେ ଅଛନ୍ତି । ତେବେ ଏହି ଘଟଣା କନ୍ଧମାଳ ଜିଲ୍ଲାର ଆଭ୍ୟନ୍ତରୀଣ ଇଲାକାରେ ଯୋଗାଯୋଗ ବ୍ୟବସ୍ଥା ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।