ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେଉଛି । ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ତୁମୁଡିବନ୍ଧ ଏବଂ କୋଟଗଡ ବ୍ଲକରେ ଭୋଟ ହେଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳୁ ସକାଳୁ ସମସ୍ତ ବୁଥ୍ରେ ଭୋଟ ଦେବା ପାଇଁ ଲମ୍ବା ଲାଇନ ଲଗାଇଛନ୍ତି ଭୋଟର ।
ଫିରିଙ୍ଗିଆ ବ୍ଲକରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯୁବକଙ୍କ ଜୀବନ ଯିବାପରେ ଗତ ୧୫ ତାରିଖରେ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତ ଗୁମି ଗ୍ରାମର କପିଳ ମାଝିଙ୍କୁ ମାଓବାଦୀ ହତ୍ୟା କରିଛନ୍ତି । ତେଣୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ମାଓବାଦୀ ଭୋଟ ନ ଦେବାକୁ ଗ୍ରାମବାସୀଙ୍କୁ ଧମକ ଦେଉଥିବାରୁ ଏହି ଦୁଇ ବ୍ଲକରେ ମୋଟ ୩୯ଟି ଅତି ସମ୍ବେଦନଶୀଳ ବୁଥ୍କୁ ବଦଳା ଯାଇଛି ।
ଭୋଟରମାନେ କେଉଁଠି ଭୋଟ ଦେବେ ତାହା ସେମାନଙ୍କ ଅଞ୍ଚଳର ପ୍ରାର୍ଥୀମାନଙ୍କ ଦ୍ୱାରା ସୂଚନା ଦିଆଯାଇଛି । କୋଟଗଡ ବ୍ଲକରେ ୨୨ଟି ଏବଂ ତୁମୁଡିବନ୍ଧ ବ୍ଲକରେ ୧୭ଟି ବୁଥ୍ ବଦଳିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।