ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୁଣି ମାଓ ଗତିବିଧି ଆରମ୍ଭ ହୋଇଛି । ବୁଧବାର ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ସିନ୍ଧିପଙ୍ଖାଳ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାଯାଇଛି । ମାଓବାଦୀଙ୍କ ଉପସ୍ଥିତି ନେଇ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ଗୁଇନ୍ଦା ବିଭାଗ ସୂଚନା ଆଧାରରେ ମାଓବାଦୀମାନେ ଉକ୍ତ ଜଙ୍ଗଲରେ ରହିଥିବା ଖବର ପାଇ ସମ୍ପୃକ୍ତ ଅଞ୍ଚଳରେ ଏସ୍ଓଜି ଯବାନମାନେ କୁମ୍ବିଂ ଅପରେସନ ଚଳାଇଥିଲେ । ଏହି ସମୟରେ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହେବା ଯୋଗୁଁ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏହାପରେ ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା କୁହାଯାଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ କିଛି ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି । ଉକ୍ତ ସ୍ଥାନରୁ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି । ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳିବିନିମୟ ସମୟରେ କାହାର ମୃତାହତ ହୋଇଥିବା ଖବର ସ୍ପଷ୍ଟ ହୋଇପାରିନାହିଁ । ଏନେଇ ପୋଲିସ ପକ୍ଷରୁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ ।
ଏହା ମଧ୍ୟ ପଢ଼ନ୍ତୁ:ପୋଲିସ ଗୁଳିରେ ମାଓବାଦୀଙ୍କ ଛତ୍ରଭଙ୍ଗ, ମାଓ କ୍ୟାମ୍ପ୍ରୁ ଗର୍ଭ ପରୀକ୍ଷା କୀଟ୍ ସହ ଆପତ୍ତିଜନକ ସାମଗ୍ରୀ ଜବତ