ଓଡିଶା

odisha

ETV Bharat / state

ବନ୍ଧୁକ ଛାଡି ନାଇଲେ ଶଙ୍ଖା ସିନ୍ଦୂର, ବଧୂ ସାଜିଲେ ଦୁଇ ମହିଳା ମାଓବାଦୀ - ହିଂସା ଛାଡି ସଂସାର ବସାଇଲେ ଦୁଇ ମହିଳା ମାଓବାଦୀ

ହିଂସା ଛାଡି ସଂସାର ବସାଇଲେ ଦୁଇ ମହିଳା ମାଓବାଦୀ । କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଦୁଇ ମହିଳା ମାଓବାଦୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅଧିକ ପଢ଼ନ୍ତୁ

police arrange marriage of two surrender maoist in kandhamal
ବନ୍ଧୁକ ଛାଡି ନାଇଲେ ଶଙ୍ଖା ସିନ୍ଦୂର, ବଧୂ ସାଜିଲେ ଦୁଇ ମହିଳା ମାଓବାଦୀ

By

Published : Dec 5, 2022, 8:46 AM IST

Updated : Dec 5, 2022, 12:54 PM IST

ଫୁଲବାଣୀ: ସଜା ହୋଇଥିଲା ମଣ୍ଡପ, ଚାଲିଥିଲା ରୀତିନୀତି ଆଉ ବାଜୁ ଥିଲା ବ୍ୟାଣ୍ଡ ବାଜା । ତତ୍ ସହିତ ବରଯାତ୍ରୀ ମଧ୍ୟ ଆସିଲା । ବାହାଘର ହେଲା ଲୋକେ ଭୋଜି ମଧ୍ୟ ଖାଇଲେ । ବିବାହ ଉତ୍ସବରେ ବହୁ ବରିଷ୍ଠ ପୋଲିସ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଲେ । ହିଂସାର ବାଟ ଛାଡି ମାଓବାଦୀ ସଂଗଠନରେ ସାମିଲ ହୋଇଥିବା ଦୁଇ ମହିଳା ମାଓବାଦୀ ସରକାରଙ୍କ ସହାୟତା ପାଇବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ବନ୍ଧୁକ ଛାଡି ନାଇଲେ ଶଙ୍ଖା ସିନ୍ଦୂର

କନ୍ଧମାଳ ଜିଲ୍ଲା ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ଦୁଇ ମହିଳା ମାଓବାଦୀ ନନ୍ଦିନୀ ଓ କରୁଣା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଆଭିମୁଖ୍ୟ ନେଇ ଫୁଲବାଣୀ ରିଜର୍ଭ ପୋଲିସ ଲାଇନର ରାଧାକୃଷ୍ଣ ମନ୍ଦିରରେ ମହାଆଡ଼ମ୍ବରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । କନ୍ଧମାଳ ଏସପି ବିନିତ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବ୍ୟାଣ୍ଡ ବାଜା ସହ ପୁରୋହିତଙ୍କ ମନ୍ତ୍ରପାଠରେ ନିଜ ନିଜର ଜୀବନସାଥୀଙ୍କ ହାତ ଧରିଛନ୍ତି ନନ୍ଦିନୀ ଓ କରୁଣା । ନନ୍ଦିନୀଙ୍କ ବିବାହ ଦାରିଙ୍ଗବାଡି ଅଞ୍ଚଳର ବିନୋଦଙ୍କ ସହ ହୋଇଥିବା ବେଳେ କରୁଣା ଜି.ଉଦୟଗିରିର ସ୍ୱପ୍ନେଶ୍ୱରଙ୍କୁ ସ୍ବାମୀ ରୂପେ ଗ୍ରହଣ କରିଛନ୍ତି।

ବିବାହ ଉତ୍ସବରେ କନ୍ୟା ଏବଂ ବର ପକ୍ଷର ପରିବାର ଲୋକେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଜିଲ୍ଲା ପୋଲିସର ଅଧିକାରୀମାନଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ପୋଲିସ ତରଫରୁ ଏକ ପ୍ରୀତି ଭୋଜନର ଆୟୋଜନ କରାଯାଇଥିଲା । ରାଜ୍ୟ ସରକାର ଓ ପୋଲିସକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ଅନ୍ୟ ମାଓବାଦୀଙ୍କୁ ହିଂସାର ମାର୍ଗ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଆକର୍ଷଣୀୟ ପ୍ୟାକେଜର ସୁଯୋଗ ନେବା ପାଇଁ ସେମାନେ ଆହ୍ୱାନ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:Chhattisgarh Encounter: ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୪ ନକ୍ସଲ ନିହତ

ସୂଚନାଯୋଗ୍ୟ, ତୁମୁଡିବନ୍ଧ ଥାନା ସିର୍ଲା ପଞ୍ଚାୟତ ଗୁଡ୍ରି ଗ୍ରାମର ସ୍ୱପ୍ନିତା ପାଟମାଝୀ ଓରଫ ନନ୍ଦିନୀ ୨୦୧୮ ମସିହାରେ ମାଓ ସଂଗଠନରେ ଯୋଗ ଦେଇଥିଲେ । ପ୍ରାୟ ଦେଢ ବର୍ଷ ପରେ ୨୦୧୯ ମସିହାରେ ସେ କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ । ସେହିଭଳି ଛତିଶଗଡ଼ କାଙ୍କେର ଜିଲ୍ଲା ଦୁରକାଣ୍ଡାଲ ଥାନା ଅନ୍ତର୍ଗତ ଗୁମୁଡି ଗ୍ରାମର ଫୁଲବତୀ ଉଷେଣ୍ଡି ଓରଫ କରୁଣା ୨୦୦୮ମସିହାରୁ ଲାଲବାହିନୀରେ ସାମିଲ ହୋଇ ୨୦୨୧ ପର୍ଯ୍ୟନ୍ତ କାମ କରିଥିଲେ । ସେ ୨୦୨୧ରେ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।

ସରକାରଙ୍କ ଯୋଜନା ମୁତାବକ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ସହ ଆତ୍ମନିର୍ଭର ହେବା ପାଇଁ ସିଲେଇ ତାଲିମ ଦିଆଯାଇଛି । ଏହି ବିବାହ ସମ୍ପୂର୍ଣ୍ଣ ରୂପେ ଉଭୟ ପକ୍ଷଙ୍କ ସହମତିରେ ହୋଇଛି । ଏନେଇ ଏସପି ଅଗ୍ରୱାଲ କହିଛନ୍ତି, "ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତରେ ଯୋଗ ହେବା ଉଚିତ୍‌ । ହିଂସା ତ୍ୟାଗ କରି ସରକାରଙ୍କ ଜନକଲ୍ୟାଣ ଯୋଜନାରେ ନିଜକୁ ସାମିଲ କରନ୍ତୁ । ମାଓବାଦୀମାନେ ପୋଲିସ ନିକଟରେ ଆତ୍ମ ସମର୍ପଣ କଲେ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଦିଆଯିବ।" ଏହି ପରିପ୍ରେକ୍ଷୀରେ ରିଜର୍ଭ ଇନସ୍ପେକ୍ଟର ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଉଭୟଙ୍କ ସୁଖମୟ ଦାମ୍ପତ୍ୟ ଜୀବନ କାମନା କରିଥିଲେ ।

ଇଟିଭି ଭାରତ, କନ୍ଧମାଳ

Last Updated : Dec 5, 2022, 12:54 PM IST

ABOUT THE AUTHOR

...view details