ଫୁଲବାଣୀ:ଫୁଲବାଣୀକୁ ରେଳ ଲାଇନ ସଂଯୋଗୀକରଣ ଦାବି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି କନ୍ଧମାଳ ରେଲୱେ କ୍ରିୟାନୁଷ୍ଠାନ କମିଟି । ଭୁବନେଶ୍ୱର ରେଲୱେ ଗେଷ୍ଟ ହାଉସଠାରେ ଫୁଲବାଣୀ ସଦର ମହକୁମାକୁ ରେଳ ସଂଯୋଗ ନେଇ କ୍ରିୟାନୁଷ୍ଠାନ କମିଟି ଦାବିପତ୍ର ପ୍ରଦାନ କରିଛି ।
ତେବେ କମିଟି ପକ୍ଷରୁ ଗୋପାଳପୁର, ସମ୍ବଲପୁର ଭାୟା ଫୁଲବାଣୀ ଦେଇ ପ୍ରସ୍ତାବିତ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ୧୯୭୮ ମସିହାରୁ ଦାବି ହୋଇ ଆସୁଛି । ଜନସାଧାରଣଙ୍କ ଦାବି ଅନୁସାରେ ଫୁଲବାଣୀ ସଦର ମହକୁମା ଦେଇ ରେଲୱେ ଲାଇନ ଯିବ ବୋଲି ୱେବ ସାଇଟରେ ପ୍ରଦର୍ଶିତ ହୋଇଥିଲା । କିନ୍ତୁ ହଠାତ୍ ଗତ ୩ ରୁ ୪ ମାସ ହେବ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ରେଲୱେ ୱେବସାଇଟରେ ଫୁଲବାଣୀ ସଦର ମହକୁମାକୁ ରେଳ ଲାଇନ ଛୁଇଁବ ନାହିଁ ବୋଲି ଜଣାପଡିଛି । ଯାହାକୁ ନେଇ ଜିଲ୍ଲା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୈଠକ କରାଯାଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ- ଫୁଲବାଣୀକୁ ରେଳ ସଂଯୋଗୀକରଣ ଦାବି, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ
ହେଲେ ଏନେଇ କୌଣସି ଉତ୍ତର ମିଳି ନଥିବାରୁ ଗତକାଲି ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଭାପତି କମଳାକାନ୍ତ ପାଣ୍ଡେ, ଆଇନଜୀବୀ ବିଜୟ ପଟ୍ଟନାୟକ, ଅଶୋକ କୁମାର ବେହେରା ଓ ସମାଜସେବୀ ଅଶୋକ ପରିଡା ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ଭୁବନେଶ୍ୱର ରେଲୱେ ଅତିଥି ଭବନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ରେଳ ବିହୀନ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀକୁ ରେଳ ଲାଇନ ସଂଯୋଗ ସମ୍ପର୍କରେ ଆଲୋଚନା କରିଥିଲେ ।
ପୂର୍ବ ଦାବି ମୁତାବକ କୌଣସି ପରିବର୍ତ୍ତନ ନକରି ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିର୍ମାଣ କରିବାକୁ ମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଏହା ସହିତ ନାଲକୋ ସହାୟତାରେ ଲାଞ୍ଜିଗଡ ତାଳଚେର ଭାୟା ଫୁଲବାଣୀ ରେଳପଥ ନିର୍ମାଣ ଏଵଂ ଆଡେଣିଗଡରୁ ଖଜୁରିପଡା ଦେଇ ଫୁଲବାଣୀ ସଦର ମହକୁମାକୁ ଆଉ ଏକ ରେଳ ଲାଇନ ସଂଯୋଗ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କନ୍ଧମାଳ ଗସ୍ତରେ ଆସିବାକୁ ସୂଚନା ଦେବା ସହ ବର୍ତ୍ତମାନ ଡିପିଆର ପ୍ରସ୍ତୁତି କାମ ଚାଲୁଥିବାରୁ ଫୁଲବାଣୀ ସହରକୁ ରେଳ ସଂଯୋଗ ପାଇଁ ବ୍ୟବସ୍ଥା କରିବାକୁ ପ୍ରତିନିଧି ମଣ୍ଡଳୀକୁ ସକାରାତ୍ମକ ଉତ୍ତର ଦେଇଥିଲେ ।
ଇଟିଭି ଭାରତ, କନ୍ଧମାଳ