ଫୁଲବାଣୀ: ହନୁମାନ ପଇସା । ଏହାର ବାସ୍ତବତାକୁ ନେଇ ଅନେକ ସନ୍ଦିହାନ । କିନ୍ତୁ ଏହାକୁ ନେଇ ଅନେକ କାରବାର ଚାଲେ । ଏ ଦିଗରେ ମାଫିଆ ମଧ୍ୟ ସକ୍ରିୟ । ଏପରି ଏକ ରାକେଟ ଠାବ କରିଛି ବାଲିଗୁଡ଼ା ପୋଲିସ । ହନୁମାନ ପଇସା କାରବାରରେ ତିନି ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୮୦ ହଜାର ଟଙ୍କା ସମେତ ମୋବାଇଲ୍ ଓ ଲାଠି ଜବତ କରିଛି ବାଲିଗୁଡ଼ା ପୋଲିସ ।
ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ମାଷ୍ଟର ମାଇଣ୍ଡ ପଦ୍ମଚରଣ ନାୟକ ଫୁଲବାଣୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ହନୁମାନ ପଇସା କାରବାର ନେଇ କଥାବାର୍ତ୍ତା କରିଥିଲା ଏବଂ ଏ ବାବଦକୁ ପାଞ୍ଚ ଲକ୍ଷ ଟଙ୍କା ଧରି ବାଲିଗୁଡ଼ା ଥାନା ମହାସିଙ୍ଗି ପଥପ୍ରାନ୍ତ ସେବାକେନ୍ଦ୍ର ନିକଟକୁ ଡାକିଥିଲା । ଟଙ୍କା ନେଇ ସଂପୃକ୍ତ ବ୍ୟକ୍ତି ଜଣକ ମହାସିଙ୍ଗି ପଥପ୍ରାନ୍ତ ସେବାକେନ୍ଦ୍ର ନିକଟରେ ପହଞ୍ଚିବା ପରେ ପଦ୍ମଚରଣ ତାର ଦୁଇଜଣ ସହଯୋଗୀଙ୍କ ସହ ମିଶି ସଂପୃକ୍ତ ବ୍ୟକ୍ତିଙ୍କୁ ମାରପିଟ୍ କରିବା ସହ ତାଙ୍କ ନିକଟରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟି ନେଇଥିଲା । ଏନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ ପରେ ବାଲିଗୁଡ଼ା ପୋଲିସ୍ ଆରମ୍ଭ କରିଥିଲା ଛାନ୍ ଭିନ୍ । ଘଟଣାରେ ମାଷ୍ଟର ମାଇଣ୍ଡ୍ ସମେତ ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ୮୦ ହଜାର ଟଙ୍କା ଜବତ କରିଛି ପୋଲିସ୍ । ଘଟଣାରେ ଆଉ କିଛି ଅଭିଯୁକ୍ତ ସଂପୃକ୍ତ ଅଛନ୍ତି ଏବଂ ତଦନ୍ତ ଜାରି ରହିଥିବା ପୋଲିସ୍ କହିଛି । ପଇସା କାରବାରରେ ତିନି ଡକାୟତଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ନଗଦ ୮୦ହଜାର ଟଙ୍କା ସମେତ ମୋବାଇଲ୍ ଓ ଲାଠି ଜବତ କରିଛି ବାଲିଗୁଡ଼ା ପୋଲିସ୍ ।