ଫୁଲବାଣୀ: ସନ୍ଦିଗ୍ଧ କୋରୋନା ମୃତଦେହ ସତ୍କାରବେଳେ ଉତ୍ତେଜନା । କନ୍ଧମାଳ ଜିଲ୍ଲା ସାରଙ୍ଗଡ ଅଞ୍ଚଳର ଜଣେ ବୃଦ୍ଧଙ୍କ ଫୁଲବାଣୀ ଜିଲ୍ଲା ମେଡିକାଲରେ ମୃତ୍ୟୁ ପରେ ସୃଷ୍ଟି ହୋଇଛି ଉତ୍ତେଜନା ମୂଳକ ପରିସ୍ଥିତି । ମୃତ୍ୟୁ କୋରୋନା ସନ୍ଦିଗ୍ଧ ଅବସ୍ଥାରେ ହୋଇଥିବାରୁ ସେ ଅନୁଯାୟୀ ଦାହ ସଂସ୍କାର ପାଇଁ ବ୍ୟବସ୍ଥା କରିଥିଲେ ପ୍ରଶାସନ । ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବା ବେଳେ ପୋଲିସ୍ 2 ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ଫୁଲବାଣୀ ଜିଲ୍ଲା ମେଡିକାଲର ମେଡିସିନ୍ ୱାର୍ଡରେ ଗୁରୁତର ଅବସ୍ଥାରେ ସାରଙ୍ଗଗଡର ଜଣେ ବୃଦ୍ଧଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କୁ ଭୂବନେଶ୍ବର ସ୍ଥାନାନ୍ତର ବେଳେ ଆମ୍ବୁଲାନସରେ ହିଁ ମୃତ୍ୟୁ ହୋଇଥିଲା । ଶ୍ବାସକ୍ରିୟାରେ କଷ୍ଟ ହୋଇ ମୃତ୍ୟୁ ହୋଇଥିଲା ଏବଂ ପରୀକ୍ଷା ପରେ କିଟରେ ପୋଜିଟିଭ୍ ଆସିଥିବା ବିଶ୍ବସ୍ତ ସୁତ୍ରରୁ ସୂଚନା ମିଳିବା ପରେ ସେହି ଆମ୍ବୁଲାନସରେ ହିଁ 4 ଘଣ୍ଟା ରଖିବା ପରେ ସନ୍ଧ୍ୟାରେ ସତ୍କାର ପାଇଁ ଫୁଲବାଣୀ ଏଫସିଆଇ ଶ୍ମଶାନକୁ ନେଇଥିଲା ପୋଲିସ୍ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଟିମ । ତେବେ ସଂପୂର୍ଣ୍ଣ ଦାହ ନ କରି ତରବରିଆ ଭାବେ ଛାଡି ପଳେଇ ଆସିଥିଲେ ଏହି ଟିମ୍ । ଫଳରେ ରବିବାର ପୁଣି ସେଠାକୁ ଯାଇ ଦାହ କରିବା ବେଳେ ପେଞ୍ଜିସାହି ଓ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଏପରିକି ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଆକ୍ରମଣ କରି ଆହତ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ।