ଫୁଲବାଣୀ: ‘ଦାରିଙ୍ଗବାଡି’ ନାଁ ଶୁଣିଲେ ଆଖି ଆଗରେ ନାଚି ଯାଏ ପ୍ରକୃତିର ଅପରୂପ ସମ୍ଭାର । ସତେ ଯେମିତି ପ୍ରକୃତି ରାଣୀ ଏଠି ସଜେଇ ହୋଇଛି ନୂଆବୋହୂ ରୂପରେ । ଶୃଙ୍ଗାର କଲେ ନୂଆବୋହୂଟିର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଯାଏ, ଠିକ୍ ସେମିତି ଶୀତ ଆସିଲେ ଦାରିଙ୍ଗିବାଡି ସୌନ୍ଦର୍ଯ୍ୟରେ ଚାର୍ ଚାନ୍ଦ ଲାଗେ । ଖାସ୍ ସେଥିପାଇଁ ଏହାକୁ ଓଡିଶାର ଭୂସ୍ବର୍ଗ ଭାବେ ଅଭିହିତ କରାଯାଇଛି । ପ୍ରକୃତିର ଅପୂର୍ବ ରୂପକୁ ଅତି ପାଖରୁ ସାଉଁଟିବାକୁ ଏଠି ଲାଗେ ପର୍ଯ୍ୟଟକଙ୍କ ଭିଡ । ଆଉ ଏଠାକୁ ଯିଏ ଥରେ ଆସିଛି, ଦାରିଙ୍ଗିବାଡି ପ୍ରେମରେ ସେ ବନ୍ଧା ପଡିଛି । ଥରେ ଆସିଲେ ବାରମ୍ବାର ଆସିବାକୁ ମନ କରିଛି ।
ଉଚ୍ଚ ଉଚ୍ଚ ପାହାଡ, ସବୁଜ ବନାନୀର ଅପୂର୍ବ ସମ୍ଭାର, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କନ୍ଧମାଳର ଦାରିଙ୍ଗବାଡି । କିଏ କହେ ଓଡିଶାର କାଶ୍ମୀର ତ କିଏ କହେ ଦାର୍ଜଲିଂ । ସତେଯେମିତି କେଉଁ ଚିତ୍ରଶିଳ୍ପୀ ଟିଏ ଆଙ୍କିଦେଇଛି ସୁନ୍ଦର ଉପତ୍ୟକା ଟିଏ । ଶୀତ ଋତୁର ଆଗମନରେ ଧଳା ଫରଫର ଚାଦର ପରି କୁହୁଡ଼ିର ଧଳା ଆସ୍ତରଣ ଘୋଡେଇ ଦିଏ ପ୍ରକୃତି ଦେହରେ । ଏହାକୁ ଓଡିଶାର ଭୂସ୍ବର୍ଗ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ‘ହିଲ ଭିଉର ସନ ରାଇଜ ପଏଣ୍ଟରୁ ଦାରିଙ୍ଗବାଡିର ଅତ୍ୟନ୍ତ ମନୋରମ ସୂର୍ଯୋଦୟକୁ ଦେଖିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଧାଇଁ ଆସନ୍ତି ପର୍ଯ୍ୟଟକ ।