ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ଜାତୀୟ ଭୋଟର ଦିବସ ପାଳିତ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଜିଲ୍ଲା ସ୍ତରୀୟ ଏବଂ ଗାନ୍ଧୀ ସ୍ମୃତି ଭବନରେ ସବଡ଼ିଭିଜନ ସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ ହୋଇଛି । ଏହି ଅବସରରେ ଏକ ସଚେତନତା ରଥ ସହର ପରିକ୍ରମା କରିଥିଲା ।
ତେବେ ଆଜିର ଏହି ବୈଠକରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଏହାସହ ଭାରତ ହେଉଛି ସାରା ବିଶ୍ବରେ ସବୁଠାରୁ ବଡ ଗଣତନ୍ତ୍ର ରାଷ୍ଟ୍ର । ତେବେ ଦେଶକୁ ସଠିକ୍ ଭାବରେ ଚଳେଇବା ପାଇଁ ପର୍ଯ୍ୟାୟକ୍ରମେ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଲୋକେ ନିର୍ବାଚିତ କରି ପଠାଇଥାନ୍ତି ।
ସେହିପରି ନିଜେ ଭୋଟ ଦେବା ସହ ଅନ୍ୟଙ୍କୁ ଭୋଟ ଦେବା ଲାଗି ସଚେତନା କରିବା ଆବଶ୍ୟକ । ନୂଆ ଓ ପୁରୁଣା ଭୋଟରଙ୍କ ସଚେତନ କରିବା ଆବଶ୍ୟକତା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ସେହିପରି ଦେଶ ଯୁବ ବର୍ଗଙ୍କ ଠାରୁ ବହୁତ କିଛି ଆଶା କରୁଛି ବୋଲି ସେ କହିଛନ୍ତି ।