ଫୁଲବାଣୀ: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଏନଏସିର ପ୍ରାକ୍ତନ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ପରେ ଅଧ୍ୟକ୍ଷା ପଦବୀ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ତେବେ ମତଦାନ ପ୍ରକ୍ରିୟା ଅପରାହ୍ନ 5ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସ୍ଥାନୀୟ ହବାକ ହାଇସ୍କୁଲରେ 3 ଟି, ହାତୀଶାଳ ସ୍କୁଲରେ 4 ଟି,କନବାଗିରିରେ ଦୁଇଟି ଓ ଶ୍ରୀରାମ ପଦା ଉପ୍ରା ବିଦ୍ୟାଳୟ, ହାଟପଦା ସ୍କୁଲ,ବ୍ଲକ କଲୋନୀ, ପଦାସାହି ସ୍କୁଲ ଆଦିରେ ଗୋଟାଏ ଲେଖାଁଏ ଏମିତି ମୋଟ 13 ବୁଥରେ ମତଦାନ ପ୍ରକ୍ରିୟା ଜାରି ରହିଛି ।
ସମୁଦାୟ 8185 ଭୋଟର ନିଜ ନିଜ ମତଦାନ ସାବ୍ୟସ୍ତ କରିବାକୁ ଥିବା ବେଳେ ସେଥିମଧ୍ୟରୁ 3820 ପୁରୁଷ, 4361 ମହିଳା ଏବଂ ଅନ୍ୟାନ୍ୟ 4 ଜଣ ଭୋଟର ରହିଛନ୍ତି । ଏନେଇ କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସହ ଦୁଇଜଣ ସେକ୍ଟର ଅଫିସର ଦାୟିତ୍ୱରେ ରହିଥିବା ବେଳେ ଆଉ ଦୁଇଜଣ ସେକ୍ଟର ଅଫିସରଙ୍କୁ ରିଜର୍ଭ ରଖାଯାଇଛି । ସେହିପରି କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟାପକ ନଳିନୀ କୁମାର ପାଣିଗ୍ରାହୀ ବୁଥ ପରିଚାଳନା ଦାୟିତ୍ଵରେ ଥିବା ବେଳେ ପ୍ରଦୀପ କୁମାର ଶତପଥୀ, ଗୌରୀଶଙ୍କର ମହାରଥ ଏବଂ କେତନ ନାୟକ ପ୍ରମୁଖ ନିର୍ବାଚନ ପରିଚାଳନା ଦାୟିତ୍ବରେ ରହିଛନ୍ତି ।