ଫୁଲବାଣୀ:ସରୁନି ଦାଦନ ଦୁଃଖ । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଦୀର୍ଘ ୫ ମାସ ହେଲା ଶ୍ରମିକ ନିଖୋଜ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗୁଳିମରା ସାହିରୁ । ଉକ୍ତ ସାହିର ସୋମନାଥ ପୂଜାରୀ ଓରଫ ଶମ୍ବୁ ନାମକ ଜଣେ ବ୍ୟକ୍ତି ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ । ହେଲେ ୫ମାସ ହେଲା ତାଙ୍କର କୌଣସି ସନ୍ଧାନ ମିଳୁନାହିଁ । ଏନେଇ ଥାନାରେ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଛି । ତେବେ ସୋମନାଥଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ଏବେ ସନ୍ଦେହ ଉପୁଜିଛି।
ସୂଚନାଅନୁଯାୟୀ,ଗତ ଜୁଲାଇ ମାସରେ ବାଲିଗୁଡାର ସନ୍ତୋଷ ମଙ୍ଗରାଜ ନାମକ ଜଣେ ଦଲାଲ ବିଭିନ୍ନ ପ୍ରଲୋଭନ ଦେଖାଇ ସୋମନାଥଙ୍କୁ ଆନ୍ଧ୍ର ପ୍ରଦେଶକୁ ନେଇ ଯାଇଥିଲା । ତେବେ ଯିବାର ଦୁଇ ଦିନ ପରେ ସୋମନାଥ ଘରକୁ ଫେରୁଥିବା ବେଳେ ଗୁଣ୍ଟୁର ଷ୍ଟେସନରେ ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ ଦଲାଲ ଜଣଙ୍କ । ଏହାପରେ ନିଖୋଜ ସୋମନାଥଙ୍କୁ ଖୋଜିବା ପାଇଁ ପରିବାର ଲୋକେ ଦଲାଲ ସନ୍ତୋଷଙ୍କୁ ଜଣାଇଥିଲେ । କିନ୍ତୁ ସେ ପରିବାର ଲୋକଙ୍କୁ ଧମକଚମକ ଦେବାରୁ ନିଖୋଜ ଦାଦନଙ୍କ ସ୍ତ୍ରୀ ସବିତା ସ୍ବାମୀଙ୍କୁ ହତ୍ୟା କରି କେଉଁ ଆଡେ ଫୋପାଡି ଦିଆଯାଇଥିବା ସନ୍ଦେହ କରି ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ ।