ଫୁଲବାଣୀ: କନ୍ଧମାଳରେ ସରୁନି ଦାଦନ ଶ୍ରମିକ ଦୁଃଖ । ପେଟ ପାଇଁ ସୁଦୂର ବେଙ୍ଗାଲୁରୁ ସହରକୁ ଦାଦନ ଖଟିବାକୁ ଯାଇଥିବା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବୁର୍ଲୁବାରୁ ଅଞ୍ଚଳର ଜଣେ ଯୁବତୀଙ୍କ ସେଠାରେ ମୃତ୍ୟୁ ହୋଇଛି । ମୃତକ ବୁର୍ଲୁବାର ଗାଁର କାଣ୍ଡାମା ଜାନିଙ୍କ ୨୨ ବର୍ଷୀୟ ଝିଅ ମାମା ଜାନି । ସେ କୁଟିଆକନ୍ଧ ଆଦିମ ଜନଜାତି ସମ୍ପ୍ରଦାୟର ଅଟନ୍ତି । ମୃତ ଯୁବତୀ କର୍ଣ୍ଣାଟକ ରାଜ୍ୟ ବେଙ୍ଗାଲୁରୁ ସହରର ସାଇ ଏକ୍ସପୋର୍ଟ ନାମକ କମ୍ପାନୀରେ କାମ କରୁଥିଲେ । ଅସୁସ୍ଥତା କାରଣରୁ ତାଙ୍କର ସେଠାରେ ମୃତ୍ୟୁ ହୋଇଥିବା ବେଳେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ସହଯୋଗରେ ଆଜି(ବୁଧବାର) ମୃତଦେହ ଜନ୍ମମାଟିରେ ପହଞ୍ଚିଛି ।
ସୂଚନାଯୋଗ୍ୟ, ଘର ଚଳାଇବାକୁ ଦି' ପଇସା ରୋଜଗାର ଆଶାରେ ବୁର୍ଲୁବାରୁ ଗ୍ରାମର ଏହି ଯୁବତୀ ବେଙ୍ଗାଲୁରୁ ଯାଇଥିଲେ । ସେଠାରେ ସାଇ ଏକ୍ସପୋର୍ଟ ନାମକ କମ୍ପାନୀରେ ୧୪ ନମ୍ବର ୟୁନିଟରେ କାର୍ଯ୍ୟ କରିଆସୁଥିଲେ । କିଛି ଦିନ ତଳେ କୌଣସି ଏକ ରୋଗରେ ପୀଡ଼ିତ ହୋଇ ସେ ବାଙ୍ଗାଲୋର ସହରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଚଳିତ ମାସ ଗତ ୧୦ ତାରିଖରେ ଦିନ ୧୧ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିଲା(migrant odia labour dies in Bangalore) । ଏହାପରେ ଅସହାୟ ନିରକ୍ଷର ବାପା ଝିଅର ମୃତଦେହ ଫେରାଇ ଆଣିବାକୁ ସ୍ଥାନୀୟ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ପ୍ରଶାସନ ନଶୁଣୁବାରୁ ସେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କୁ ଗୁହାରି କରିଥିଲେ ।