ଫୁଲବାଣୀ:ଓଡ଼ିଶାର କାଶ୍ମୀର ତଥା ଭୂସ୍ଵର୍ଗ କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ତାପମାତ୍ରା ଦିନକୁ ଦିନ ଖସିବାରେ ଲାଗିଛି । ଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଆଜି(ସୋମବାର) ଦାରିଙ୍ଗବାଡିର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ରହିଥିବା ବେଳେ ରବିବାର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ଶନିବାର ଦାରିଙ୍ଗବାଡିରେ ୧୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଗୋଟିଏ ଦିନ ମଧ୍ୟରେ ୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ଖସିଛି । ସେହିଭଳି ଫୁଲବାଣୀର ତାପମାତ୍ରା ସୋମବାର ୧୧.୫ ଡିଗ୍ରୀ ରହିଛି । ତାପମାତ୍ରା ନିମ୍ନଗାମୀ ହେଉଥିବାରୁ ଜୀବନ ଯାପନ ପ୍ରଭାବିତ ହେଉଥିବା ବେଳେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁ ଜାଳି ଆଶ୍ରୟ ନେବା ସହିତ ଚା' ଦୋକାନରେ ଲାଗୁଛି ଲୋକଙ୍କ ଭିଡ ।