ଭୁବନେଶ୍ବର:କନ୍ଧମାଳରେ ରକ୍ତମୁଖା ହେଲା ଲାଲବାହିନୀ । ଘରୁ ଡାକି ନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ଏହି କାଣ୍ଡ ଘଟାଇଥିବା ଜଣାପଡିଛି । ମୃତ ସରପଞ୍ଚ ହେଲେ ସୁବଳ କହଁର । ସୁବଳଙ୍କୁ ହତ୍ୟା କରି ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି ଲାଲବାହିନୀ ।
ମାଓ ଅଧ୍ୟୁଷିତ ଅଞ୍ଚଳ ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ସୁମେପବନ୍ଧ ପଞ୍ଚାୟତରେ ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ ସୁବଳ କହଁର । ତେବେ ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ସୁବଳ ପଞ୍ଚାୟତର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଚେଷ୍ଟା କରୁଥିଲେ ଏବଂ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀଙ୍କ ଟାର୍ଗେଟ ରହି ଆସୁଥିଲେ । ଅନେକ ସମୟରେ ତାଙ୍କୁ ଧମକ ଚମକ ଦେଉଥିଲେ ।
ତେବେ ଗତକାଲି(ବୁଧବାର) ରାତିରେ ସୁବଳ ସାଉଲିପଡା ସ୍ଥିତ ଘରେ ଶୋଇଥିବା ବେଳେ ତାଙ୍କୁ କିଛି ମାଓବାଦୀ ଘରୁ ଡାକି ନେଇଥିଲେ । ପରେ ଘର ଠାରୁ କିଛି ଦୂରରେ ହିଁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି । ଗୁଳିମାଡ ହେତୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ସୁବଳଙ୍କୁ ହତ୍ୟା କରି ପୁଣି ନିଜର ଉପସ୍ଥିତି ଜାହିର କରିଛି ଲାଲବାହିନୀ ।