ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅଞ୍ଚଳରେ ମାଓ ପୋଷ୍ଟର ମାରି ଦବଦବା ଜାହିର୍ କରିଛି ଲାଲବାହିନୀ । ମାଓ ଆଧ୍ୟୁଷିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛପଡା ରାସ୍ତାର ବିଭିନ୍ନ ସ୍ଥାନରେ ଆଜି(ଗୁରୁବାର) ସକାଳୁ ଅନେକ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଘାଟି ସାହି, ମାଝୀ ପଡା, ଦରଘା ବାଲି ପ୍ରଭୃତି ଅଞ୍ଚଳରେ ଏହି ପୋଷ୍ଟର ଲାଗିଛି । ଯାହାକୁ ନେଇ ସେହି ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏମିତିକି ସେହି ରାସ୍ତା ଦେଇ ଯିବାଆସିବା କରୁଥିବା ଲୋକେ ମଧ୍ୟ ଭୟଭୀତ ହୋଇପଡିଛନ୍ତି ।
ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, କେକେବିଏନ ଡିଭିଜନର ସଚିବ ବିଜୟ ନାଁ ଲେଖା ହୋଇଥିବା ଦେଖାଯାଇଛି । ଏଥିରେ ମାଓ ସଂଗଠନ ଫିରିଙ୍ଗିଆ ଥାନା ପୋଡି ଘଟଣାକୁ ସମର୍ଥନ କରିବା ସହ ପୋଲିସ ଓ ସରକାରଙ୍କ ଦମନ ମୂଳକ କାର୍ଯ୍ୟକଳାପକୁ ନିନ୍ଦା କରିଛି । ଏଥିପାଇଁ ଆଜି କନ୍ଧମାଳ, ବୌଦ୍ଧ, ନୟାଗଡ, କଳାହାଣ୍ଡି ଆଦି ୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଏହି ବନ୍ଦକୁ ସଫଳ କରିବାକୁ ଚାଷୀ, ଆଦିବାସୀ, ଦଳିତ, ଛାତ୍ର,ବୁଦ୍ଧିଜୀବୀ ସମେତ ବିଭିନ୍ନ ସଂଗଠନକୁ ଆହ୍ବାନ କରାଯାଇଛି । ଏ ସରକାର କିମ୍ବା ସ୍ଥାନୀୟ ବିଧାୟକ ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରିପାରିବ ନାହିଁ । ତେଣୁ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନକୁ ବର୍ଜନ କରିବା ସହିତ ଜନ ଆନ୍ଦୋଳନକୁ ଆଗକୁ ନେବା ପାଇଁ ଆହ୍ବାନ କରିଛି କେକେବିଏନ ସଂଗଠନ ।