ଫୁଲବାଣୀ:କୋଟଗଡ ବ୍ଲକ ବିଜେଡି ସାଂସଦ ପ୍ରତିନିଧିଙ୍କ ବିରୋଧରେ ଲାଗିଲା ମାଓ ପୋଷ୍ଟର । ଶୁକ୍ରବାର ମାଓବାଦୀମାନେ ଏକ ଗଛରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି । ବିଜେଡି ସାଂସଦ ପ୍ରତିନିଧି ମନୋଜ କୁମାର ସାବତଙ୍କ ବିରୋଧରେ ଏହି ପୋଷ୍ଟର ଲଗାଯାଇଛି । ବେଳ ଥାଉ ଥାଉ ଯଦି ନ ସୁଧୁରିବେ ନିଶ୍ଚିତ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ମାଓବାଦୀମାନେ ପୋଷ୍ଟରରେ ଚେତାବନୀ ଦେଇଛନ୍ତି ।
ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପକ୍ଷରୁ ବିଜେଡି ସାଂସଦ ପ୍ରତିନିଧି ମନୋଜ କୁମାର ବିରୋଧରେ ଏହି ମାଓ ପୋଷ୍ଟର ଲଗାଯାଇଛି । ପୋଷ୍ଟର ସାଂସଦ ପ୍ରତିନିଧି ମନୋଜ କୁମାର ସାବତଙ୍କୁ କୋଟଗଡ଼ ବ୍ଲକର ପୂର୍ବତନ ବିଡିଓ କୈଳାସ ଚନ୍ଦ୍ର ମୁର୍ମୁ ଏବଂ ବର୍ତ୍ତମାନର ବ୍ଲକ କ୍ୟାସିୟର ଛବି ବାବୁ ମିଶି ସାହାଯ୍ୟ କରୁଛନ୍ତି । ଏଥିସହ ବ୍ଲକର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆସୁଥିବା ଅନୁଦାନରେ କୌଣସି କାର୍ଯ୍ୟ କରାଯାଉ ନ ଥିବା ନେଇ ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ।
ଏହା ସହିତ ଏମ୍ପି ପ୍ରତିନିଧି ମନୋଜ କୁମାର ସାବତ ଆଦିବାସୀ, ହରିଜନମାନଙ୍କୁ ଶୋଷଣ କରୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଯଦି ବେଳ ଥାଉ ଥାଉ ନ ସୁଧୁରିବେ ନିଶ୍ଚିତ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ମାଓବାଦୀମାନେ ପୋଷ୍ଟରରେ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଖବର ଲେଖାହେବା ସୁଦ୍ଧା ଘଟଣାସ୍ଥଳରେ ପୋଲିସ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନାହାନ୍ତି ।