ଫୁଲବାଣୀ: କନ୍ଧମାଳ ଜିଲ୍ଲା ବିଜେପି ଫୁଲବାଣୀ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ଅନେକ ନେତା ଓ କର୍ମୀ ଯୋଗଦେଇ ଦଳର ସଂଗଠନକୁ ସୁଦୃଢ଼ କରିବା ଦିଗରେ ଆଲୋଚନା କରିଥିଲେ । ଏହି ଅବସରରେ ଦଳର ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ରାଜନୈତିକ ଦଳରୁ ଦୁଇ ଶହରୁ ଊର୍ଦ୍ଧ୍ବ କର୍ମୀ ବିଜେପିରେ ଯୋଗଦେଇଥିଲେ ।
ଫୁଲବାଣୀ ବିଜେପିର କାର୍ଯ୍ୟକାରିଣୀ ବୈଠକ, ମିଶିଲେ ବିଭିନ୍ନ ଦଳରୁ ୨୦୦ କର୍ମୀ ଫୁଲବାଣୀ ମଣ୍ଡଳର ବିଜେପିର କାର୍ଯ୍ୟକାରିଣୀ ବୈଠକ ଆଜି (ରବିବାର) ସ୍ଥାନୀୟ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ଅନେକ ନେତା ଓ କର୍ମୀ ଯୋଗଦେଇ ଜିଲ୍ଲାରେ ବିଜେପି ସଂଗଠନକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଲୋଚନା କରିଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବର୍ଷିଛି ଦଳ । କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟରେ ବିଜେଡି ସରକାର ଜାଣିଶୁଣି କାର୍ଯ୍ୟକାରୀ କରୁନଥିବା ଅଭିଯୋଗ ହୋଇଛି । ଏହାସହ କେନ୍ଦ୍ର ସରକାରଙ୍କ ବହୁବିଧ ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି କିପରି ଶାସନକୁ ଆସିବ ତାହା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା ।
ଏହି ଅବସରରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଫୁଲବାଣୀ ମଣ୍ଡଳର ବିଭିନ୍ନ ଦଳର ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗଦେଇଥିଲେ । ସେମାନଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯାଇଥିଲା । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଖାରାବେଳ ସ୍ବାଇଁଙ୍କ ସହ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଓ ଅନ୍ୟ ପ୍ରମୁଖ ସ୍ଥାନୀୟ ନେତା ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ଉପରେ ଦଳର କାର୍ଯ୍ୟକର୍ତ୍ତାମାନେ ଆଲୋକପାତ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ସମସ୍ୟା ରହିଛି । ନିଯୁକ୍ତି ପାଇଥିବା ଅନେକ ଡାକ୍ତର ଏଠାରୁ ଦରମା ପାଉଥିବା ବେଳେ ଡେପୁଟେସନରେ ଯାଇ ଅନ୍ୟ ସ୍ଥାନରେ କାମ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି । ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଜଟିଳ ହୋଇଛି । ଶାସକ ଦଳର ଗୁଣ୍ଡାମାନେ ଅଫିସରମାନଙ୍କୁ ଆକ୍ରମଣ କରୁଥିବା ମଧ୍ୟ ଅଭିଯୋଗ କରିଛି ବିଜେପି । ସେହିପରି ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଶିକ୍ଷାର ଅବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ଅଭାବ ରହିଥିବା ବେଳେ ସ୍କୁଲ ଓ କଲେଜ ମାନଙ୍କର ଆବଶ୍ୟକ ଶିକ୍ଷୟିତ୍ରୀ ଶିକ୍ଷକ ନାହାନ୍ତି ବୋଲି କହିଛି ଦଳ । ତେବେ ରାଜ୍ୟ ସରକାରଙ୍କର ଏହି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଫୁଲବାଣୀ ମଣ୍ଡଳ ବିଜେପି କହିଛି ।
ଇଟିଭି ଭାରତ, କନ୍ଧମାଳ