ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଦୀର୍ଘ ଦିନ ଧରି ବର୍ଷା ଉଭାନ । ଜିଲ୍ଲାର ବହୁ ନଦୀ ଶୁଖିଗଲାଣି । ଜୁନ୍ ଓ ଜୁଲାଇ ମାସରେ ବର୍ଷା ନ ହେବାରୁ ଏବେ ଚାଷୀକୂଳ ହତାଶ ହୋଇପଡିଛନ୍ତି । କିନ୍ତୁ ସରକାରଙ୍କୁ ଦେଖାଯାଉନି ଚାଷୀଙ୍କ ଦୁଃଖ । ଫସଲ ବୀମା ସହିତ ଅଣଧାନ ଚାଷକୁ ଗୁରୁତ୍ବ ଦେବାକୁ କହି ଚୁପ୍ ବସିଛି କୃଷି ବିଭାଗ ।
ବର୍ଷା ନାହିଁ, ଚିନ୍ତାରେ ଚାଷୀକୁଳ - କନ୍ଧମାଳରେ ସ୍ବଳ୍ପବୃଷ୍ଟି
ବର୍ଷା ନହେବାରୁ କନ୍ଧମାଳରେ ଚାଷୀ କୂଳ ହତାଶ । ଆସନ୍ତା ସପ୍ତାହକ ମଧ୍ୟରେ ଲଗାଣ ବର୍ଷା ନ ହେଲେ ଚାଷ ନଷ୍ଟ ହେବା ନିଶ୍ଚତ ବୋଲି ଉପକୃଷି ନିର୍ଦ୍ଦେଶକ କହିଛନ୍ତି ।
ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଅଧିକାଂଶ ଅଧିବାସୀଙ୍କ ମୁଖ୍ୟ ବେଉସା ଚାଷ । ଏବେ କିନ୍ତୁ ଚାଷ ଉଜୁଡି ଗଲାଣି । ଜିଲାର ପ୍ରମୁଖ ନଦୀ ପିଲାସାଲୁଙ୍କି, ସାଲୁଙ୍କି, ଖଡଗ୍, ରାଉଳ, କରାସର ପ୍ରଭୃତି ନଦୀ ଶୁଖିଗଲାଣି । ଜୁନ ଓ ଜୁଲାଇ ମାସରେ ବର୍ଷାର ଦେଖା ନାହିଁ । ପ୍ରାୟ ପଚାଶ ପ୍ରତିଶତରୁ ଅଧିକ କମ୍ ବର୍ଷା ହେବା ପରେ ଜିଲ୍ଲାରେ ଚାଷୀଙ୍କ ସ୍ଥିତି ଏବେ ବେହାଲ । ଚିନ୍ତାଗ୍ରସ୍ଥ ଚାଷୀ କୂଳ ଏବେ ହତାଶ ହୋଇପଡିଛନ୍ତି । ହେକ୍ଟର ହେକ୍ଟର ଚାଷ ଜମି ଏବେ ପଡିଆ ପଡିଛି । ଚାଷୀଙ୍କ ବିଲରେ ହେଉଥିବା ପନିପରିବା ଚାଷ ବନ୍ଦ ହୋଇଯାଇଛି । ଧାନ ତଳି ମରିଗଲାଣି । ଧାନ ବିଲ ଫାଟି ଆଁ କରିଛି ।
ଜିଲ୍ଲାରେ ଚାଷର ସ୍ଥିତିକୁ ଦେଖି କୃଷି ବିଭାଗ ମଧ୍ୟ ପ୍ରସ୍ତୁତି ଚଳାଇଥିବା ବାହାସ୍ପୋଟ ମାରୁଛି । କିନ୍ତୁ ବାସ୍ତବରେ କୌଣସି କୃଷି କର୍ମଚାରୀଙ୍କ ଦେଖା ନାହିଁ ବୋଲି କହିଛନ୍ତି ଚାଷୀ । ଟିକାବାଲି ବ୍ଲକରେ ସର୍ବନିମ୍ନ ବର୍ଷା ସହିତ କ୍ଷତି ଅଧିକ ହୋଇଛି । ଜିଲ୍ଲାର ପଚାଶ ହଜାର ହେକ୍ଟର ଧାନ ବିଲ ମଧ୍ୟରୁ ମାତ୍ର ଚାରି ହଜାରରେ ରୁଆ ଗଲାଣି ଧାନ । ଚାଷୀଙ୍କୁ ସଚେତନ କରିବା ସହିତ ଅଣଧାନ ଚାଷ କରିବାକୁ ପ୍ରବର୍ତ୍ତାଉଛନ୍ତି କର୍ମଚାରୀ । ଫସଲ ବୀମା କରିବାକୁ ମଧ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି । 5000 ଚାଷୀଙ୍କ ଫସଲ ବୀମାର ଟାର୍ଗେଟ୍ କରିଛି ବିଭାଗ । ଗତ ବର୍ଷ ମାତ୍ର ଦେଢ ଲକ୍ଷ ଟଙ୍କା ଫସଲ ବୀମା ବାବଦରେ ଜିଲ୍ଲାର ଚାଷୀ ପାଇଥିବାରୁ ବିଶ୍ବାସ ପାଉନାହାଁନ୍ତି ଏଥିପାଇଁ । ମାତ୍ର 700 ଜଣ ଆଜି ସୁଦ୍ଧା ଫସଲ ବୀମା କରିଛନ୍ତି । ଆସନ୍ତା ସପ୍ତାହକ ମଧ୍ୟରେ ଲଗାଣ ବର୍ଷା ନ ହେଲେ ଚାଷ ନଷ୍ଟ ହେବା ନିଶ୍ଚତ ବୋଲି ଉପକୃଷି ନିର୍ଦ୍ଦେଶକ କହିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ