ଫୁଲବାଣୀ: ସିର୍ତିଗୁଡା ସବଷ୍ଟେସନ ଗ୍ରୀଡ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଗ୍ରୀଡ଼ରୁ ଅନ୍ୟ ଏକ ଗ୍ରୀଡକୁ ବିଦ୍ୟୁତ ଯିବା ପାଇଁ ଗଛ ବାଧା ସାଜୁଥିବାବେଳେ ବନବିଭାଗ ପକ୍ଷରୁ ଗଛ କଟାଯାଇନାହିଁ । ଯାହାକୁ ନେଇ ଦେଖାଦେଇଛି ଜନ ଅସନ୍ତୋଷ । ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଇଚ୍ଛାଶକ୍ତି ନଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି ।
କଳାହାଣ୍ଡି ଜିଲ୍ଲାରୁ ବିଦ୍ୟୁତ ଆଣିବା ଲାଗି ବ୍ୟବସ୍ଥା ହେଉଛି । ମାତ୍ର ବଡ଼ବଡ଼ିଆ ଲୋକେ ଟାୱାର ସ୍ଥାପନ ପାଇଁ ଜାଗା ଛାଡୁନଥିବା ଭଳି ଅନେକ କାରଣ ରହିଛି । ବାଲିଗୁଡାରେ ବିଦ୍ୟୁତ ସେବାର ଉନ୍ନତି ଆଣିବା ପାଇଁ ବାଲିଗୁଡା ନିକଟସ୍ଥ ସିର୍ତିଗୁଡାରେ ଏକ ଗ୍ରୀଡ ସବଷ୍ଟେସନ (୨୨୦/୩୩କେବି) କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୧୬ ମସିହା ଫେବୃୟାରୀ ମାସରେ ଏହାକୁ ଶକ୍ତିମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ୧୦୨ କୋଟି ଟଙ୍କାର ବ୍ୟୟ ଅଟକଳ ଥିଲା । ୨୦୧୮ ମାର୍ଚ୍ଚ ମାସରୁ ଉକ୍ତ ଗ୍ରୀଡରୁ ଅଞ୍ଚଳବାସୀଙ୍କୁ ସେବା ଯୋଗାଇ ଦେବାର ଲକ୍ଷ୍ୟ ରହିଥିଲା ।
କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇପାରିନି । ଏହି ଗ୍ରୀଡ କାର୍ଯ୍ୟକ୍ଷମ ହୋଇଗଲେ ବାଲିଗୁଡା ବ୍ଲକ ସମେତ କୋଟଗଡ, ତୁମୁଡିବନ୍ଧ, କ.ନୁଆଗାଁ, ଦାରିଙ୍ଗବାଡି, ରାଇକିଆ ଆଦି ବ୍ଲକର ଅଞ୍ଚଳବାସୀ ଉପକୃତ ହୋଇପାରିବେ । କନ୍ଧମାଳକୁ ବଣ ଜଙ୍ଗଲ ଘେରି ରହିଥିବା କାରଣରୁ ସାମାନ୍ୟ ସମସ୍ୟା ଉପୁଜିଲେ ଘଣ୍ଟାଘଣ୍ଟା ଏପରିକି ଦିନ ଦିନ ଧରି ବିଦ୍ୟୁତ କାଟ ହୋଇଯାଏ । ଫଳରେ ଅଞ୍ଚଳବାସୀ ବିଦ୍ୟୁତ କାଟକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଲିଗୁଡା ଉପଖଣ୍ଡରେ ସମସ୍ତ ବ୍ଲକରେ ଅଧିକ ସମୟ ଲୋ ଭୋଲଟେଜ ଓ ବାରମ୍ବାର ପାୱାର କଟ୍ ହେଉଛି ।
ସିର୍ତିଗୁଡା ସବଷ୍ଟେସନ ଗ୍ରୀଡ୍ ହେଉନାହିଁ କାର୍ଯ୍ୟକ୍ଷମ, ଉପୁଜିଲା ଜନ ଅସନ୍ତୋଷ ଏଣୁ ପାଣିମୋଟର ଠାରୁ ଆରମ୍ଭ କରି ଧାନକଳ ଅନ୍ୟ ସବୁ ବିଦ୍ୟୁତ ଜନିତ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଏପରିକି ଦିନ ଦିନ ଧରି ବିଦ୍ୟୁତ କାଟ ହେବା ଫଳରେ ଇନଭର୍ଟର ବି କାମରେ ଆସୁନାହିଁ । ବର୍ଷାଦିନରେ ବିଦ୍ୟୁତ ସରବରାହ ସମସ୍ୟା ନକହିବା ଭଲ । ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ବାରମ୍ବାର ବିଦ୍ୟୁତ କାଟ ହେଉଛି । ବାଲିଗୁଡାକୁ ବର୍ତ୍ତମାନ ଫୁଲବାଣୀ ଗ୍ରୀଡରୁ ବିଦ୍ୟୁତ ଆସୁଛି ଓ ଫୁଲବାଣୀକୁ ଗଞ୍ଜାମ ଜିଲ୍ଲା କଣେଇପଲ୍ଲୀ ଗ୍ରୀଡରୁ ବିଦ୍ୟୁତ ଯୋଗାଣ ହେଉଛି ।
୨୦୧୨ରେ ବାଲିଗୁଡା ଅଞ୍ଚଳରେ ୭ ମେଗାୱାଟ ବିଦ୍ୟୁତ ଆବଶ୍ୟକ ହେଉଥିଲା କିନ୍ତୁ ବର୍ତ୍ତମାନ ୧୮ ମେଗାୱାଟ ବିଦ୍ୟୁତ ଆବଶ୍ୟକ ହେଉଛି । ଏହି ଗ୍ରୀଡର ପ୍ରାୟ ୯୦ ଶତକଡା କାମ ସରିଯାଇଛି । କିନ୍ତୁ ବନ ବିଭାଗ ଯୋଗୁଁ କାମ ଅଟକି ଯାଇଛି । ଏଥିଲାଗି ୧୯ କିମି ଲମ୍ବା ଓ ୩୫ ମିଟର ଓସାରରେ କରିଡର ତିଆରି ହେବ । ଯାହା ଫଳରେ ୫୦ହଜାର ଗଛ କଟାଯିବ । ରାମପୁର, କୃତମଗଡ, ପାଟାମାହାରୁ ଅଧିକ ଗଛ କଟାଯିବ । ଏହି ୫୦ ହଜାର ଗଛ କାଟିବାକୁ କେନ୍ଦ୍ର ଫରେଷ୍ଟ ବିଭାଗରୁ ମଞ୍ଜୁର ମିଳୁନାହିଁ ।
ବନ ବିଭାଗର ମଞ୍ଜୁର ମିଳିବା ପରେ ହିଁ ଗଛ କଟା ହେବ । ଏହି ଗ୍ରୀଡ ପାଇଁ ଆବଶ୍ୟକ ୩୮୨ଟି ଟାୱାର ତିଆରି ହେବ ଏଥି ମଧ୍ୟରୁ ୩୨୪ଟି କାମ ସରିଛି । ଏହି ୫୮ଟି ଟାୱାର ରିର୍ଜଭ ଫରେଷ୍ଟ ମଧ୍ୟରେ ରହିଛି । ଅପରପଟେ ବାଲିଗୁଡା ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ କହିଛନ୍ତି ଏହି ଟାୱାର କେବେ କାର୍ଯ୍ୟକ୍ଷମ ହେବ ତାହା ଅନିଶ୍ଚିତତା ଘେରରେ ରହିଛି । ଦରକାର ପଡିଲେ ଏହା କାର୍ଯ୍ୟକ୍ଷମ ହେବାକୁ ପ୍ରାୟ ୧୦ ବର୍ଷ ସମୟ ଲାଗିବାର ସମ୍ଭାବନା ରହିଛି । କିନ୍ତୁ ଏହି ଗ୍ରୀଡ କାର୍ଯ୍ୟକ୍ଷମ ହୋଇଗଲେ ଅଞ୍ଚଳରେ ଲୋ ଭୋଲଟେଜର ସମସ୍ୟା ରହିବନି । ଏଣୁ ତୁରନ୍ତ ଏହି ସାଂସଦ, ବିଧାୟକ, ଜିଲ୍ଲା ପ୍ରଶାସନ ଏଥିପ୍ରତି ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଗ୍ରୀଡର ଅତିଶୀଘ୍ର କାର୍ଯ୍ୟ ଶେଷ କରି ଉଦଘାଟନ କରିବାକୁ ଦାବି କରିଛନ୍ତି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ