ଫୁଲବାଣୀ:କୋରୋନା ମହାମାରୀକୁ ନେଇ ଦେଶ ସମେତ ରାଜ୍ୟରେ ହାହାକାର ଚାଲିଥିବା ବେଳେ ସରକାର ଲୋକଙ୍କ ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦେଇ ମାଗଣାରେ ସେବା ଯୋଗାଉଛନ୍ତି । ଯାହା ଖର୍ଚ୍ଚ ହେବ ତାହା ସରକାର କରିବେ ବୋଲି କହିଥିଲେ । ସେହି ଅନୁସାରେ ପଞ୍ଚାୟତଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା କରାଗଲା । କିନ୍ତୁ ଏହାର ସୁଯୋଗ ନେଲେ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଏଭଳି ଘଟଣା କନ୍ଧମାଳ ଜିଲା ଖଜୁରୀପଡା ବ୍ଲକରେ ଦେଖିବାକୁ ମିଳିଛି । ବାସ୍ତବରେ କୋରୋନା ସମ୍ପର୍କିତ କିଟ୍ କିଣା ନ ଯାଇ ଖଜୁରୀପଡ଼ା ବିଡ଼ିଓ ରବୀନ୍ଦ୍ରନାଥ କହଁରଙ୍କ ବିରୋଧରେ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଦୁର୍ନୀତି ହୋଇଥିବା ଡିଆରଡିଏ (District Rural Development Agency-DRDA) ତଦନ୍ତ ରିପୋର୍ଟରୁ ଜଣାପଡି଼ଛି ।
ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତଦନ୍ତ ରିପୋର୍ଟରେ ସେ ମିଥ୍ୟା ବିଲ କରି ଲକ୍ଷାଧିକ ଟଙ୍କା ହରିଲୁଟ କରିଥିବା ଦେଖିବାକୁ ମିଳିଛି । ୨୦୨୧ ସେପ୍ଟେମ୍ବର ୧ ତାରିଖ ଚିଠି ନମ୍ବର ୪୦୦୭ରେ ଲକ୍ଷାଧିକ ଟଙ୍କାର ହେରଫେର ହୋଇଥିବା ସୂଚନା ରହିଛି । କୋରୋନା ବେଳେ ଲୋକଙ୍କ ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦେଇ ସରକାର ପଞ୍ଚାୟତରେ TMC ଖୋଲିଥିଲେ । ଯେଉଁମାନେ ରାଜ୍ୟ ଏବଂ ରାଜ୍ୟ ବାହାରେ ରହି ଘରକୁ ଫେରିବେ, ସେମାନଙ୍କୁ ପ୍ରଥମେ ଏହି TMCରେ କ୍ବାରେଣ୍ଟାଇନରେ ରହିବାକୁ ହେବ ।
ତେଣୁ ରହିବା ପାଇଁ ଆନୁଷଙ୍ଗିକ ଜିନିଷ କିଣିବା ପାଇଁ ସରକାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ବିଡିଓମାନେ ଏହାର ତଦାରଖ କରୁଥିଲେ । ଖଜୁରୀପଡା ବ୍ଲକର ବିଭିନ୍ନ TMCରେ ମୋଟ ୬୪୭ ଜଣ ପ୍ରବାସୀ ଥିଲେ । ସେମାନଙ୍କ ଲାଗି SRCଙ୍କ ଗାଇଡଲାଇନ ଅନୁସାରେ ହାଇଜେନିକ କିଟ୍ ଜଣକ ପିଛା ୩୦୦ ଟଙ୍କା ମଧ୍ୟରେ କିଣାଯିବ । ୩୦୦ ଟଙ୍କା ହିସାବରେ ୬୪୭ ଜଣଙ୍କ ବାବଦରେ ୧ ଲକ୍ଷ ୯୪ ହଜାର ୧୦୦ ଟଙ୍କା ଖର୍ଚ୍ଚ ହେବା ପାଇଁ ନିର୍ଦ୍ଦେଶ ରହିଥିଲା ।
ମାତ୍ର ବିଡିଓ ଏହି ବାବଦରେ ୯ ଲକ୍ଷ ୬୭ ହଜାର ୧୩୧ ଟଙ୍କା ବିଲ ଦେଇ ୭ ଲକ୍ଷ ୭୩ ହଜାର ଟଙ୍କା ହଡ଼ପ କରିଥିବା ଚିଠିରୁ ସ୍ପଷ୍ଟ ଜଣାପଡୁଛି । କିଣା ଯାଇଥିବା କିଟ୍ ଗୁଡିକ ଅତ୍ୟନ୍ତ ନିମ୍ନମାନର ଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଥିବା ବେଳେ ଷ୍ଟକ ରେକର୍ଡ ଓ ରେଜିଷ୍ଟରରେ ତଥ୍ୟ ମଧ୍ୟ ନାହିଁ । ସରାକରଙ୍କ ନିର୍ଦ୍ଦେଶ ଅନୁସାରେ ସରପଞ୍ଚମାନେ ପ୍ରବାସୀମାନଙ୍କ ରହିବା ପାଇଁ ବେଡ୍ସିଟ, ତକିଆ, ବାଲ୍ଟି, ମଗ୍, ମ୍ୟାଟ୍ରେସ ଆଦି ଜିନିଷ କିଣିବେ ।