ଫୁଲବାଣୀ: ରାଜ୍ୟର ଅନ୍ୟତମ ପ୍ରମୁଖ ଆଦିବାସୀ ସଂଗଠନ କୁଇ ସମାଜ ସମନ୍ୱୟ ସମିତିର 25ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ଫୁଲବାଣୀଠାରେ ଆଦିବାସୀଙ୍କ ଏକ ବିରାଟ ଶୋଭାଯାତ୍ରା ସହ ସାଧାରଣସଭା ଆୟୋଜିତ ହୋଇଥିଲା । ବହୁ ଅଧିବାସୀ ନେତା ଏବଂ ହଜାର ହଜାର ସଂଖ୍ୟାରେ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନାଚଗୀତ ସହ କଲେଜ ଛକ ସ୍ଥିତ ସମିତି କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି କରୋନେସନ ପଡ଼ିଆରେ ପହଞ୍ଚିଥିଲେ । ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ:କଲେଜ ଛାତ୍ରୀଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର, CCTVରେ କଏଦ ହେଲା ଛାତିଥରା ଦୃଶ୍ୟ
କୁଇ ସମାଜର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ତେବେ କୁଇ ସମାଜ ସମନ୍ୱୟ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ସଭାପତି ପୁଷାରା କହଁର, ସାଧାରଣ ସମ୍ପାଦକ ଲମ୍ବୋଦର କହଁର, ରାଜ୍ୟ ଆଦିବାସୀ ଏକତା ପରିଷଦ ସଭାପତି ପ୍ରଦୀପ କହଁର, ସମନ୍ୱୟ ସମିତିର ଆବାହକ ଭାଷ୍କର ପ୍ରଧାନ, ଆଦିବାସୀ ନେତା ଶ୍ରୀକାନ୍ତ ମଲିକ ପ୍ରମୁଖ ଉଦବୋଧନ ଦେଇ ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀଙ୍କର ଦାବିକୁ ଅଣଦେଖା କରୁଥିବା ଅଭିଯୋଗ ଆଣିଥିଲେ । ସମ୍ପାଦକ ଲମ୍ବୋଦର କହଁର ପେସା ଆଇନର ବିଫଳତା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିଲେ । ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ କରିବାରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ବୋଲି ସେ କହିଥିଲେ ।
ସମିତି ପକ୍ଷରୁ ୧୯୯୮ ମସିହାରୁ ସରକାରଙ୍କୁ ୩୪ ଦଫା ଦାବି ପୂରଣ ପାଇଁ ପ୍ରତି ବର୍ଷ ସ୍ମାରକ ପତ୍ର ପ୍ରଦାନ କରାଯାଉଥିବା ବେଳେ ସରକାର ତା ମଧ୍ୟରୁ ଅନେକ ଦାବି ଏ ପର୍ଯ୍ୟନ୍ତ ପୂରଣ କରିନାହାନ୍ତି ବୋଲି ଅଭିଯୋଗ କରିଥିଲେ ଆଦିବାସୀ ନେତା । ଏଥିସହ ଖଜୁରୀପଡାରେ ଆଇଆରବି ବାଟାଲିୟନ ସ୍ଥାପନକୁ ମଧ୍ୟ କୁଇ ସମାଜ ପକ୍ଷରୁ ବିରୋଧ କରାଯାଇଛି । ଜିଲ୍ଲାର ଜମିଜମା ମାମଲା,ଜାଲ ଜାତିଗତ ପ୍ରମାଣ ପତ୍ର ସମସ୍ୟା,ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ସରକାର ଜିଲ୍ଲାକୁ ଅଣଦେଖା କରୁଛନ୍ତି ବୋଲି କହିଥିଲେ ବକ୍ତା । ଆଗାମୀ ଦିନରେ ଏସବୁ ସମସ୍ୟା ନେଇ କୁଇ ସମାଜ ଆନ୍ଦୋଳନ ତୀବ୍ର କରିବ ବୋଲି ସମିତିର ସାଧାରଣ ସମ୍ପାଦକ ଲମ୍ବୋଦର କହିଛନ୍ତି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସମେତ ଗଞ୍ଜାମ, ବୌଦ୍ଧ, ନୟାଗଡ଼, କଳାହାଣ୍ଡି, ରାୟଗଡା ୃର ଆଦିବାସୀ ନେତା ମାନେ ଯୋଗ ଦେଇଥିଲେ ।
ଇଟିଭି ଭାରତ, କନ୍ଧମାଳ