ଫୁଲବାଣୀ: ନିଷ୍ଠା ଓ ପରିଶ୍ରମ ଆଗରେ ହାର ମାନେ ସବୁ ପ୍ରତିବନ୍ଧକ। କନ୍ଧମାଳ ଜିଲ୍ଲାର ଜଣେ ଗରିବ ଆଦିବାସୀ ଚାଷୀ ପରିବାରର ଝିଅ ଜିଲ୍ଲାରେ ଚଳିତ ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ସେ ହେଉଛନ୍ତି ଜିଲ୍ଲାର ମିନାକ୍ଷୀ ମଲ୍ଲିକ । ଚଳିତବର୍ଷ ଦଶମ ଶ୍ରେଣୀରେ ସେ 92 ପ୍ରତିଶତ ମାର୍କ ରଖିଛନ୍ତି ଯାହା ଜିଲ୍ଲାରେ ପ୍ରଥମ। ଏଥିପାଇଁ ତାଙ୍କୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ ।
କଠିନ ପରିଶ୍ରମର ସଫଳ ଉଦାହରଣ କନ୍ଧମାଳର ମିନାକ୍ଷୀ ମଲ୍ଲିକ ସ୍ଥାନୀୟ କ.ନୂଆଗାଁ ବ୍ଲକ ମହାଶିଙ୍ଘ ପଞ୍ଚଚାୟତର ଗୋଇବନ୍ଧl ଗ୍ରାମର ରାଜୀବ ଲୋଚନ ମଲ୍ଲିକଙ୍କ ଝିଅ ମିନାକ୍ଷୀ ମଲ୍ଲିକ ଦଶମ ବୋର୍ଡ ପରୀକ୍ଷାରେ ଏହି ସଫଳତା ସାଉଣ୍ଟିଛନ୍ତି । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ମିନାକ୍ଷୀ A1 ଗ୍ରେଡ଼ରେ ମୋଟ 556 ନମ୍ବର ସହ 92.67 ପ୍ରତିଶତ ନମ୍ବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ମିନାକ୍ଷୀ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ନିଜ ଗାଁ ଗୋଇବନ୍ଧl ସ୍କୁଲରେ ପାଠ ପଢିବା ପରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ସେ ତୁମୁଡିବନ୍ଧ ବ୍ଲକର ଜଲେଶପଟାସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ପାଠ ପଢିଥିଲେ ।
ମିନାକ୍ଷୀଙ୍କ ବାପା ରାଜୀବ ଲୋଚନ ଜଣେ ଚାଷୀ । ଅଭାବ ଅନଟନ ମଧ୍ୟରେ ନାନା ସମସ୍ୟା ସତ୍ତ୍ବେ ଝିଅର ପାଠ ପ୍ରତି ଆଗ୍ରହ ଦେଖି ସେ ଝିଅକୁ ପଢିବା ପାଇଁ ଉତ୍ସାହିତ କରୁଥିଲେ । ମା’ ନୀଳନ୍ତି ବି ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ ସହ ଝିଅର ପାଠ ପଢା ପ୍ରତି କୌଣସି ଅବହେଳା କରିନାହାନ୍ତି । ମିନାକ୍ଷୀ ଦିନକୁ 10-12 ଘଣ୍ଟା ପରିଶ୍ରମ କରି ଏହି ସଫଳତା ପାଇଛନ୍ତି । ଜଣେ ଆଦିବାସୀ ଗରିବ ଚାଷୀ ପରିବାରର ଝିଅ ହୋଇଥିବା ସତ୍ତ୍ବେ ବାପା ମା’ଙ୍କ ସହଯୋଗରେ ଏହି ସଫଳତା ପାଇଥିବା କହିଛନ୍ତି ମିନାକ୍ଷୀ ।
ଏଥିପାଇଁ ସମସ୍ତ ଶ୍ରେୟ ନିଜ ପିତା ମାତା ଓ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି । ଆଗକୁ ଯୁକ୍ତ ଦୁଇରେ ବିଜ୍ଞାନରେ ପାଠ ପଢିବା ସହ ବଡ଼ ହୋଇ ଜଣେ ଡ଼ାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ମିନାକ୍ଷୀ । ସରକାରୀ ସହାୟତା ମିଳିଲେ ଆଗକୁ ଭଲ ପଢିବା ସହ ନିଜ ଲକ୍ଷ୍ୟ ହାସଲ କରି ପାରିବେ ବୋଲି ପରିବାର ମଧ୍ୟ ମତ ଦେଇଛି। ଜିଲ୍ଲାର ଅଗ୍ରଣୀ ସଂଗଠନ ବନବାସୀ ସେବା ସମିତି ଛାତ୍ରୀଙ୍କ ଆଗକୁ ସମସ୍ତ ଖର୍ଚ୍ଚ ବହନ କରିବ ବୋଲି ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଓ ସହ ସମ୍ପାଦକ ରବୀନ୍ଦ୍ରନାଥ ପଣ୍ଡା ଘୋଷଣା କରିଛନ୍ତି।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ