ଫୁଲବାଣୀ:ପଶମ ଟୋପି ତିଆରି କରି ଗିନିଜ ୱାର୍ଲଡ ରେକର୍ଡରେ ନିଜକୁ ସାମିଲ କରିପାରିଛନ୍ତି ଓଡିଆ ଝିଅ ସନ୍ଧ୍ୟାରାଣୀ । କନ୍ଧମାଳ ଜିଲ୍ଲା ଚକାପାଦ ଅଞ୍ଚଳର ସନ୍ଧ୍ୟାରାଣୀ ବେହେରା ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇ ଚର୍ଚ୍ଚାକୁ ଆସିଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବର ୧୮ରେ ବିଶାଖପାଟନାରେ ଅନୁଷ୍ଠିତ ପଶମ ସୁତା ନିର୍ମିତ ଟୋପି ଉପରେ ହୋଇଥିବା ଏକ ପ୍ରତିଯୋଗିତାରେ ଭାଗ ନେଇ ଏହି ବିରଳ କୃତିତ୍ୱ ଅର୍ଜନ କରିଛନ୍ତି ସନ୍ଧ୍ୟା ।
ଏହି ପ୍ରତିଯୋଗିତାରେ ଦୁଇଶହ ଚାଳିଶ କିସମର ରଙ୍ଗ ବେରଙ୍ଗର ପଶମ ଟୋପି ପ୍ରଦର୍ଶିତ କରି ସେ ବିଚାରକ ମାନଙ୍କ ମନ ଜିଣିଥିଲେ । ଏହା କରିବାକୁ ତାଙ୍କୁ ଏକମାସ ସମୟ ଲାଗିଥିବା କହିଛନ୍ତି ସନ୍ଧ୍ୟା । ପ୍ରତିଯୋଗିତାରେ ଓଡିଶାରୁ ଚାରି ଜଣ ଅଂଶ ଗ୍ରହଣ କରିଥିଲେ । ସନ୍ଧ୍ୟା ରାଣୀଙ୍କୁ ଗିନିଜ ବୁକ ଅଫ ୱାର୍ଲଡ ପକ୍ଷରୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କୃତିତ୍ବ ହାସଲ କରିବା ପରେ ବେଶ ଖୁସି ବ୍ୟକ୍ତ କରିବା ସହ ଏହା ତାଙ୍କର ଆଗ୍ରହ, ନିଷ୍ଠା, ପରିଶ୍ରମର ଫଳ ବୋଲି କହିଛନ୍ତି l