ଓଡିଶା

odisha

ETV Bharat / state

ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଗରିବୀ, ଚା ଦୋକାନୀଙ୍କ ପୁଅ ହେବେ ଡାକ୍ତର - କନ୍ଧମାଳ ଖବର

ଗରିବ ଚା’ ଦୋକାନୀଙ୍କ ପୁଅ NEET ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷରେ ସେ ୬୩୫ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୮୦୫୬ ରାଙ୍କରେ ରହିଛନ୍ତି । ଆର୍ଥିକ ଅଭାବରୁ ସେ କୋଚିଂ ନେଇପାରିନଥିଲେ ମଧ୍ୟ ୟୁଟ୍ୟୁବରୁ ପାଠ ପଢ଼ି ସେ ଏଭଳି ସଫଳତା ହାସଲ କରିଛନ୍ତି । ତେବେ ଭବିଷ୍ୟତରେ ସରକାରଙ୍କ ସହାୟତା ମିଳିଲେ ସେ ଆହୁରି ଆଗକୁ ଯାଇପାରିବେ ବୋଲି ଆଶା ରଖିଛନ୍ତି । ଅଧିକ ପଢ଼ନ୍ତୁ

ବାପା ଗରୀବ ଚା ଦୋକାନୀ, ପୁଅ ହେବେ ଡାକ୍ତର
ବାପା ଗରୀବ ଚା ଦୋକାନୀ, ପୁଅ ହେବେ ଡାକ୍ତର

By

Published : Sep 10, 2022, 9:20 PM IST

ଫୁଲବାଣୀ: ସରକାରୀ ସ୍କୁଲ ଏବଂ ମହାବିଦ୍ୟାଳୟରେ ପାଠ ପଢି ଗରିବ ଚା ଦୋକାନୀଙ୍କ ପୁଅ NEET ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏଭଳି ସଫଳତା ପାଇଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ମାଷ୍ଟରପଡ଼ାର ହରିଶଙ୍କର ବେହେରାଙ୍କ ପୁଅ ସୁରଜ କୁମାର ବେହେରା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ପରିଚାଳନା କରାଯାଇଥିବା ଏହି ପରୀକ୍ଷରେ ସେ ୬୩୫ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୮୦୫୬ ରାଙ୍କରେ ରହିଛନ୍ତି ।

ବାପା ଗରୀବ ଚା ଦୋକାନୀ, ପୁଅ ହେବେ ଡାକ୍ତର

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ପରିଚାଳନା କରାଯାଇଥିବା NEET ପରୀକ୍ଷା ଫଳ ନିକଟରେ ପ୍ରକାଶ ପାଇଛି । ଏଥିରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ମାଷ୍ଟରପଡ଼ା ବାସିନ୍ଦା ହରିଶଙ୍କର ବେହେରାଙ୍କ ପୁଅ ସୁରଜ କୁମାର ବେହେରା ୬୩୫ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୮୦୫୬ ରାଙ୍କରେ ରହିଛନ୍ତି । ଏନେଇ ଗରିବ ପରିବାରରେ ଖୁସୀର ଲହରୀ ଖେଳିଯାଇଛି । ସୁରଜ ପିଲାଦିନରୁ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ, ସେ ଫୁଲବାଣୀ ସ୍ଥିତ ସରକାରୀ ଏଜେଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢି ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ଫୁଲବାଣୀ ସ୍ଥିତ ସରକାରୀ ମହାବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନରେ ୮୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ପରେ ବର୍ତ୍ତମାନ B.SC କରୁଛନ୍ତି ।

ସୁରଜଙ୍କ ବାପା ହରିଶଙ୍କର ଚା ଦୋକାନ ଦେଇ ନିଜ ପରିବାର ପୋଷଣ କରିଥାନ୍ତି । ପରିବାରର ଆର୍ଥିକ ସମସ୍ୟା କାରଣରୁ ଏହି ପରୀକ୍ଷା ପାଇଁ ସେ କୋଚିଂ ନେଇପାରିନଥିଲେ । ତେବେ ବିନା କୌଣସି କୋଚିଂ ନେଇ ସେ ଗତବର୍ଷ ମଧ୍ୟ ଏହି NEET ପରୀକ୍ଷା ଦେଇଥିଲେ କିନ୍ତୁ ଭଲ ମାର୍କ ରଖିପାରିନଥିଲେ । ତେବେ ଚଳିତ ଥର ସେ ବହୁ ପରିଶ୍ରମ କରି ଭଲ ଭାବେ ପ୍ରସ୍ତୁତି ହୋଇ NEET ପରୀକ୍ଷା ଦେଇ ଏଥିରେ ଭଲ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବା ପାଇଁ ତାଙ୍କର ସ୍ଵପ୍ନ ରହିଛି ।

ତେବେ ସବୁଠାରୁ ବଡ଼ କଥା ହେଲା ସୁରଜଙ୍କ ବାପା ଅତି ଗରିବ ଶ୍ରେଣୀର ଲୋକ । ଏପରିକି ତାଙ୍କର ନିଜସ୍ଵ ଘର କିମ୍ବା ଜାଗାବାଡି ମଧ୍ୟ ନାହିଁ । ସେ ମାଷ୍ଟରପଡ଼ାର ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହୁଛନ୍ତି ଏବଂ ଚା ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି । ତାଙ୍କର ଫୁଲବାଣୀ ସହର ସ୍ଥିତ ମେଡିକାଲ ଛକରେ ଏକ ଛୋଟିଆ ଚା ଦୋକାନ ଅଛି । ସେଠାରୁ ଯାହା ରୋଜଗାର କରନ୍ତି , ସେଥିରେ ତାଙ୍କ ପରିବାର ପ୍ରତିପୋଷଣ ସହିତ ତାଙ୍କର ୩ ପୁଅଙ୍କ ପାଠ ପଢାଉଛନ୍ତି । ସୁରଜ ହେଉଛନ୍ତି ତାଙ୍କର ମାଝିଆଁ ପୁଅ । ମେଡ଼ିକାଲ ଛକରେ ଚା ଦୋକାନ କରି କେତେ ଡାକ୍ତର ଏବଂ କେତେ ରୋଗୀଙ୍କୁ ଚା ପିଆଉଥିବା ହରିଶଙ୍କରଙ୍କ ବହୁତ ଇଚ୍ଛା ଥିଲା, ତାଙ୍କ ପୁଅକୁ ଡାକ୍ତର କରିବା ପାଇଁ ଆଉ ସେହି ଇଚ୍ଛା ବର୍ତମାନ ପୂରଣ ହେବାକୁ ଯାଉଥିବାରୁ ସେ ବହୁତ ଖୁସି ପ୍ରକାଶ କରିଛନ୍ତି ।

ଏନେଇ ସୁରଜ କହିଛନ୍ତି, "ପରିବାରର ଆର୍ଥିକ ସମସ୍ୟା କାରଣରୁ ମୁଁ କୌଣସି କୋଚିଂ ନେଇପାରିନଥିଲି । ଫୋନ ଆସିବା ଦିନ ଠାରୁ ୟୁଟ୍ୟୁବରୁ ପାଠ ପଢ଼ୁଥିଲି । ତେବେ ମୋର ସଫଳତା ନେଇ ମୋ ପରିବାର ବହୁତ ଖୁସି ଅଛନ୍ତି । ଭବିଷ୍ୟତରେ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜରେ ପାଠ ପଢ଼ି ଗୋଟିଏ ଭଲ ଡାକ୍ତର ହେବା ପାଇଁ ଇଛା ରଖିଛି । କିନ୍ତୁ ଏବେ ମଧ୍ୟ ପରିବାରରେ ଆର୍ଥିକ ସଙ୍କଟ ଲାଗି ରହିଥିବାରୁ ଡର ଲାଗୁଛି । ସରାକାରଙ୍କ ତରଫରୁ କୌଣସି ସହଯୋଗ ମିଳିଲେ ମୁଁ ଆହୁରି ଆଗକୁ ଯାଇପାରିବି ।"

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details