ଫୁଲବାଣୀ: ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣଙ୍କ ସହଯୋଗରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବୈଠକରେ ୨୦୨୨ ମୌସୁମୀ ସମୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ବନ୍ଧୀୟ ପ୍ରସ୍ତୁତିର ସମୀକ୍ଷା ସହିତ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଭାଗୀୟ ସରକାରୀ ପଦାଧିକାରୀମାନେ ସୂଚନା ପ୍ରଦାନ କରିଥିଲେ । କନ୍ଧମାଳ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ସମ୍ଭାବ୍ୟ ବିପର୍ଯ୍ୟୟକୁ ସମ୍ମୁଖୀନ ହେବା ପୂର୍ବରୁ ଏହାର ମୁକାବିଲା ପାଇଁ ସଜାଗ ହେବା, ଯେପରିକି ଶୁଷ୍କ ଖାଦ୍ୟ ଦ୍ରବ୍ୟ, ଔଷଧ, ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା, ଦୁର୍ବଳ ସ୍ଥିତିରେ ଥିବା ନଦୀ ଓ କେନାଲ ବନ୍ଧ ନିର୍ମାଣ ଆଦି ପ୍ରତି ଗୁରୁତ୍ବ ଦେବା ସହିତ ବିପର୍ଯ୍ୟୟ ପରେ ଥଇଥାନ ପଦକ୍ଷେପକୁ ସଠିକ ଭାବେ ପରିଚାଳନା କରିବାକୁ ବୈଠକରେ ଉପସ୍ଥିତ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ ପରାମର୍ଶ ଦେଇଥିଲେ ।
ସେହିପରି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଧନଜୀବନ ନଷ୍ଟକୁ ରୋକିବା ପାଇଁ ଆମେ ସମସ୍ତେ ପ୍ରସ୍ତୁତ ରହି ସଠିକ ସମୟରେ ଆବଶ୍ୟକ ପଦକ୍ଷେପ ନେବା ବୋଲି କହିଥିଲେ । କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି ଜିଲ୍ଲାରେ କ୍ଷୁଦ୍ର ଜଳସେଚନର କୌଣସି ନଦୀ ବନ୍ଧ ଭାଙ୍ଗିଯିବା ଅବସ୍ଥାରେ ଅଛି କି ନାହିଁ ପଚାରି ବୁଝିଥିଲେ । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଦୁର୍ବଳ ସ୍ଥିତିରେ ଥିବା ସ୍ଥାନ ଓ ଅଞ୍ଚଳ ଆଦିର ପରିଦର୍ଶନ କରି ସମ୍ପୃକ୍ତ ବିଭାଗକୁ ଅବଗତ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର୍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ତୁରନ୍ତ ମରାମତି ପାଇଁ ଆବଶ୍ୟକୀୟ ସାମଗ୍ରୀ ଓ ସରଞ୍ଜାମ ସହିତ ପ୍ରସ୍ତୁତ ରହିବାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦର ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁଶ୍ରୀ ନନ୍ଦିନୀ ମଲିକ । ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଲୋକମାନଙ୍କୁ ବିପର୍ଯ୍ୟୟ ପୂର୍ବରୁ ଏବଂ ପରେ ସଚେତନ କରିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ । ତେବେ ଏଦିଗରେ ଏନ୍.ଜି.ଓ ମାନଙ୍କର ସହଯୋଗ ନିହାତି ଆବଶ୍ୟକ ବୋଲି ସେ କହିଥିଲେ ।