ଫୁଲବାଣୀ: କନ୍ଧମାଳ ବନ୍ଦ ଡାକରା ଦେଲା କନ୍ଧମାଳ ବିକାଶ ପରିଷଦ । ପ୍ରସ୍ତାବିତ ରେଳଲାଇନ ପ୍ରକଳ୍ପରୁ ଫୁଲବାଣୀକୁ ବାଦ ଦିଆଯାଇଥିବା ପ୍ରତିବାଦରେ ଆସନ୍ତା 10 ତାରିଖରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ 6 ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ 12 ଘଣ୍ଟିଆ ବନ୍ଦ ପାଳନ କରାଯିବ । ଜରୁରୀକାଳୀନ ସେବାକୁ ଛାଡ଼ି ସବୁ ଅଖଚକ ବନ୍ଦ ରହିବ ବୋଲି ବିକାଶ ପରିଷଦ ପକ୍ଷରୁ ଫୁଲବାଣୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।
ତେବେ ଏନେଇ ପରିଷଦର ସଭାପତି ଗୋଲକ ବିହାରୀ କହଁର କହିଛନ୍ତି ଯେ, "ଜିଲ୍ଲାବାସୀଙ୍କ ବହୁ ଦାବି ପରେ କେନ୍ଦ୍ର ସରକାର ଜିଲ୍ଲାର ବିକାଶ ପାଇଁ ଗୋପାଳପୁର-ସମ୍ବଲପୁର ରେଳଲାଇନକୁ ଅନୁମୋଦନ କରିଛନ୍ତି । ହେଲେ ଯେଉଁ ରେଳ ଲାଇନଟି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଦେଇ ଯିବା ପାଇଁ ପ୍ରସ୍ତାବ ରହିଛି । କିନ୍ତୁ ଏହି ରେଳଲାଇନର ସର୍ଭେ କାର୍ଯ୍ୟ କରୁଥିବା ଓରିଡଲ ସଂସ୍ଥା ପ୍ରସ୍ତାବିତ ରେଳଲାଇନ ମ୍ୟାପ୍ରୁ ଫୁଲବାଣୀକୁ ବାଦ ଦେଇଛି । ତେଣୁ ଏହାକୁ ବିରୋଧ କରିଛି କନ୍ଧମାଳ ବିକାଶ ପରିଷଦ।"
ସେ ଆହୁରି ମଧ୍ୟ କହିଛନ୍ତି, ଯେ ପର୍ଯ୍ୟନ୍ତ ଜିଲ୍ଲାକୁ ରେଳଲାଇନ ସଂଯୋଗ ହୋଇନି ସେପର୍ଯ୍ୟନ୍ତ କନ୍ଧମାଳ ବିକାଶ ପରିଷଦ ଆନ୍ଦୋଳନ ଜାରି ରଖିବ । ଏହି ଆନ୍ଦୋଳନକୁ ଜିଲ୍ଲାର ସ୍ବାର୍ଥ ପାଇଁ ଜନସାଧାରଣ ସହଯୋଗ କରିବେ । ପୂର୍ବରୁ ଏହି ଆନ୍ଦୋଳନକୁ ନେଇ ବାରମ୍ବାର ଜିଲ୍ଲାପାଳଙ୍କୁ ଦାବି କରିଥିଲୁ । ହେଲେ କୌଣସି ସୁଫଳ ମିଳିଲା ନାହିଁ । ତେଣୁ ବାଧ୍ୟ ହୋଇ ଆନ୍ଦୋଳନର ଡାକରା ଦେଇଛୁ ।