ଓଡିଶା

odisha

ETV Bharat / state

ସମାଜରୁ କୁପ୍ରଥା ଦୂରେଇବା ପ୍ରୟାସ, ଜାତୀୟସ୍ତରର କାର୍ଯ୍ୟକ୍ରମରେ ଯୋଗଦେବେ କନ୍ଧମାଳ ଝିଅ - Kandhamal girl invited to Delhi

ବାଲ୍ୟବିବାହ ନିରୋଧ ଏବଂ କିଶୋରୀ ଅଧିକାର ପାଇଁ ସଚେତନତା ସୃଷ୍ଟି କରି କନ୍ଧମାଳର ଝିଅ ସୁପ୍ରଭା ଦିଲ୍ଲୀର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି(Kandhamal girl to join special event in Delhi) । ଅଧିକ ପଢନ୍ତୁ

ସମାଜରୁ କୁପ୍ରଥା ଦୂରେଇବା ପ୍ରୟାସ, ଜାତୀୟସ୍ତରର କାର୍ଯ୍ୟକ୍ରମରେ ସାମିଲ ହେବେ କନ୍ଧମାଳ ଝିଅ
ସମାଜରୁ କୁପ୍ରଥା ଦୂରେଇବା ପ୍ରୟାସ, ଜାତୀୟସ୍ତରର କାର୍ଯ୍ୟକ୍ରମରେ ସାମିଲ ହେବେ କନ୍ଧମାଳ ଝିଅ

By

Published : Oct 10, 2022, 9:56 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ଦୁର୍ଗମ ଗାଁ ଜୟଲାମ୍ବାର ଝିଅ ସୁପ୍ରଭା ବେହେରା(Kandhamal girl to join special event in Delhi ) । ସମାଜରୁ ବାଲ୍ୟବିବାହ ଦୂରୀଭୂତ ଓ କିଶୋରୀ ଅଧିକାର ପାଇଁ ଲଢେଇ କରିବା ଦ୍ବାରା ତାଙ୍କୁ ଆଜି ମିଳିଛି ଏକ ସ୍ବତନ୍ତ୍ର ପରିଚୟ । ଦିଲ୍ଲୀର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗଦେବାକୁ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ସାମିଲ ହେବେ ବୋଲି ଜଣାପଡ଼ିଛି ।

ନିଜର ଦୃଢ ମନୋବଳ ଓ ଅଦମ୍ୟ ଇଚ୍ଛା ଶକ୍ତି ବଳରେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ସେ । ବାଲ୍ୟବିବାହ ନିରୋଧ ଏବଂ କିଶୋରୀ ଅଧିକାର ପାଇଁ ସଚେତନତା ସୃଷ୍ଟି କରି ଏହି ଗ୍ରାମାଞ୍ଚଳ କିଶୋରୀ ଜଣକ ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିବାକୁ ସକ୍ଷମ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ନିମନ୍ତ୍ରଣ କ୍ରମେ ବିଶ୍ବ ଶିଶୁ କନ୍ୟା ଦିବସରେ ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗସ୍ତ କରିଛନ୍ତି ସୁପ୍ରଭା ।

ଏହା ବି ପଢନ୍ତୁ- ସପ୍ତମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା, ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ସେଠାରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ବି ଯୋଗଦେବେ ସୁପ୍ରଭା । ଗାଉଁଲି ପରିବେଶ ମଧ୍ୟରେ ବାଲ୍ୟକାଳ କାଟିଥିବା ସୁପ୍ରଭା ଅନ୍ୟମାନଙ୍କ ଭଳି ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ତେବେ ସମାଜର ପରମ୍ପରା ଅନୁଯାୟୀ ପରିବାର ଲୋକେ କମ ବୟସରୁ ତାଙ୍କର ବିବାହ ସ୍ଥିର କରିଥିଲେ। କିନ୍ତୁ ଆଗକୁ କିଛି କରିବାର ସଂକଳ୍ପ ରଖିଥିବା ସୁପ୍ରଭା ଏହାର ବିରୋଧ କରିଥିଲେ । ଏହିଠାରୁ ହିଁ ଆରମ୍ଭ ହୋଇଥିଲା ସୁପ୍ରଭାଙ୍କ ଜୀବନର ନୂତନ ଅଧ୍ୟାୟ।

ବେସରକାରୀ ଅନୁଷ୍ଠାନର ପ୍ରେରଣା ଓ ସହଯୋଗରେ ବାଲ୍ୟ ବିବାହ ଓ କିଶୋରୀ ଅଧିକାର ଉପରେ ନିଜ ଅଞ୍ଚଳରେ ସଚେତନତା ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ସୁପ୍ରଭା । ଆଜି ଜାତୀୟ ସ୍ତରର ସମାରୋହରେ ସାମିଲ ହେବା ପାଇଁ ପିତା ଉଦୟ ବେହେରାଙ୍କ ସହ ଦିଲ୍ଲୀରେ ପହଞ୍ଚିଛନ୍ତି ସୁପ୍ରଭା । ଝିଅର ଏହି କୃତିତ୍ବରେ ପରିବାର ସମେତ ଗ୍ରାମବାସୀ ଅତି ଆନନ୍ଦିତ । ଏପଟେ ମା' ସୁକୃତାଙ୍କ ସହ ଆଉ ତିନି ଭାଇ ଭଉଣୀ ଘରେ ଅଛନ୍ତି ।

ସୁପ୍ରଭାଙ୍କ ବାପା ଉଦୟ ଜଣେ ଦିନ ମଜୁରିଆ । ପିଲାଙ୍କୁ ଉପଯୁକ୍ତ ଶିକ୍ଷା ଦେବାର ସାମର୍ଥ୍ୟ ନାହିଁ। ବଡ଼ ଝିଅ ଉତ୍ପଳା ବିଭୂଷିତା ଯୁକ୍ତ ଦୁଇ ପାସ କରି ଘରେ ଅଛନ୍ତି । ଆଗକୁ ପାଠ ପଢିବାର ଇଚ୍ଛା ଥିଲେ ବିସାମର୍ଥ୍ୟ ନାହିଁ । ସାନ ଭଉଣୀ ଶୁଚିସ୍ମିତା ଅଷ୍ଟମରେ ଓ ସାନ ଭାଇ ରାଜଶେଖର ପଞ୍ଚମରେ ପଢୁଛନ୍ତି । ଗରିବ ହେଲେ ବି ପିଲାମାନଙ୍କୁ ପାଠ ପଢା ଶିକ୍ଷିତ ଓ ବଡ଼ ମଣିଷ କରିବାର ଇଚ୍ଛା ରଖିଛନ୍ତି ବାପାମା' । ତେବେ ଅର୍ଥ ପ୍ରତିବନ୍ଧକ । ତେଣୁ ସରକାର ଏ ଦିଗରେ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ସୁପ୍ରଭାଙ୍କ ମା' ସୁକୃତା ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details