ଓଡିଶା

odisha

ETV Bharat / state

ପୋଲିସ ଉପରେ ଜନତାଙ୍କ ଆକ୍ରୋଶ; ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

କନ୍ଧମାଳ ଫିରିଙ୍ଗିଆ ଥାନା ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ପୋଲିସ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗ କରି ଥାନା ସମ୍ମୁଖରେ ପ୍ରତିବାଦ କରିଥିଲେ ଲୋକେ । ଏହାପରେ ଥାନାରେ ନିଆଁ ଲଗାଇବା ସହିତ ପୋଲିସ ଅଧିକାରୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଅଧିକ ପଢ଼ନ୍ତୁ

By

Published : Aug 5, 2023, 6:47 PM IST

Updated : Aug 6, 2023, 6:58 AM IST

ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୋଲିସ ଉପରେ ଜନତାଙ୍କ ଆକ୍ରୋଶ ଦେଖାଯାଇଛି । ଜିଲ୍ଲାର ଫିରିଙ୍ଗିଆ ଥାନା ଜାଳିଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ନେଇ ପୋଲିସ ଅଧିକାରୀଙ୍କୁ ଅବଗତ କରିଥିଲେ ଲୋକେ । ପରେ ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ଥାନାରେ ପଶି ଉତ୍ତ୍ୟକ୍ତ ଲୋକେ ଥାନାରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଏହି ଘଟଣାରେ କିଛି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମଧ୍ୟ ଲୋକେ ଆକ୍ରମଣ କରିଥିବା ଜଣାପଡିଛି । ସେପଟେ ଘଟଣାସ୍ଥଳରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କ ସହ ବହୁ ଅଧିକାରୀ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏହା ଅଞ୍ଚଳରୁ ବିଭିନ୍ନ ସମୟରେ ଜବତ ହେଉଥିବା ଗଞ୍ଜେଇକୁ ଫିରିଙ୍ଗିଆ ଆଇଆଇସି ତପନ କୁମାର ନାହାକ, ହୋମଗାର୍ଡ଼ ପ୍ରଶାନ୍ତ ପାତ୍ର, ରବି ଦିଗାଲ ଏବଂ ଅନ୍ୟ ପୋଲିସ କର୍ମଚାରୀ ବିକ୍ରି କରିଦେଉଥିଲେ । ଏନେଇ ଶନିବାର ଦିନ ଅଞ୍ଚଳବାସୀ ଫିରିଙ୍ଗିଆ ବ୍ଲକ ଛକରେ ରାସ୍ତାରୋକ କରିବା ସହିତ ତୁରନ୍ତ ଥାନା ଆଇଆଇସି, ହୋମଗାର୍ଡ଼ ଏବଂ ସମ୍ପୃକ୍ତ ଅନ୍ୟ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଶତାଧିକ ଲୋକ ବ୍ଲକ ଛକରେ ବାଉଁଶ ବାନ୍ଧି ରାସ୍ତାରୋକ କରିବା ସହ ଆଇଆଇସି ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ନାରାବାଜି କରିଥିଲେ । ଏହାପରେ ଅପରାହ୍ଣରେ ଥାନାରେ ନିଆଁ ଲଗାଇ ଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ଉତ୍ତ୍ୟକ୍ତ ଲୋକଙ୍କ ପକ୍ଷରୁ ଫିରିଙ୍ଗିଆ ଥାନା ଜାଳିଦେବା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଦକ୍ଷିଣାଞ୍ଚଳ ପୋଲିସ ଆଇ.ଜି ।

ଏହା ମଧ୍ୟ ପଢ଼ନ୍ତୁ...ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ଲାଞ୍ଚ ନେଇ ଫସିଲେ IIC ଓ ASI

ସୂଚନାଯୋଗ୍ୟ, ଜଣେ ଗଞ୍ଜେଇ ବେପାରୀ ଗଞ୍ଜେଇ କିଣିବା ପାଇଁ ଗତ ୩ ତାରିଖ ରାତିରେ ବୁଢ଼ାକାମ୍ବା ଗାଁକୁ ଯାଇଥିଲା । ପୋଲିସ ଏକ ବୋଲେରୋରେ ସେଠାକୁ ଗଞ୍ଜେଇ ନେଇଥିଲା । ସେହି ସମୟରେ ସେହି ବୋଲେରୋକୁ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ଵରଞ୍ଜନ କହଁର ଏବଂ ଗ୍ରାମବାସୀ ଅଟକ ରଖି ଏହାର ଭିଡିଓ ଉତ୍ତୋଳନ କରିଥିଲେ । ପରେ ସେମାନେ ସେହି ଭିଡିଓକୁ କନ୍ଧମାଳ ଏସ୍‌ପିଙ୍କ ପାଖକୁ ପଠାଇ ଥାନା ଆଇଆଇସି ଏବଂ ତାଙ୍କର ସହଯୋଗୀଙ୍କ ବିରୋଧରେ ଗଞ୍ଜେଇ ଚୋରାଚାଲାଣ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଏହି ଘଟଣାରେ କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଆଜି ଫିରିଙ୍ଗିଆ ଅଞ୍ଚଳବାସୀ ରାସ୍ତା ଅବରୋଧ କରିଥିଲେ । ତେବେ ଏନେଇ ଏବେ ପର୍ଯ୍ୟନ୍ତ କନ୍ଧମାଳ ଏସ୍‌ପି କିମ୍ବା ଅନ୍ୟ ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 6, 2023, 6:58 AM IST

ABOUT THE AUTHOR

...view details