ଫୁଲବାଣୀ: କନ୍ଧମାଳରେ ପୁଣି ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନ ଅଭିଯୋଗ । ଜିଲ୍ଲାର ବାଲିଗୁଡା ଥାନା ଅନ୍ତର୍ଗତ ବାଟାଗୁଡାର ବଂଡେମିଲା ଠାରେ ଥିବା ଦାର୍ନୀ ପେନୁ ବା ମାଟି ମାଆକୁ ପୂଜା କରାଯାଉଥିବା ସ୍ଥାନରେ ଭଙ୍ଗାରୁଜା ସହ ଦେବୀଙ୍କ ବିରୋଧରେ ଅପମାନ ସୂଚକ ମନ୍ତବ୍ୟ ଏବଂ ଆସ୍ଥାନ ଓ ପୂଜା ସାମଗ୍ରୀକୁ ପୋଡି ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଏହି ପବିତ୍ର ସ୍ଥାନରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ ମଳତ୍ୟାଗ କରିବା ନେଇ ମଧ୍ୟ ଅଭିଯୋଗ ଆସିଛି ।
ଦାର୍ନୀ ପେନୁ ବା ଧରଣୀ ପେନୁ ମନ୍ଦିରରେ ବର୍ଷ ବର୍ଷ ଧରି ଆଦିବାସୀ ପୂଜକ ପୂଜା କରିଆସୁଛନ୍ତି । କନ୍ଧମାଳର ପରମ୍ପରା ଅନୁଯାୟୀ, ଏହି ପୂଜକମାନଙ୍କୁ ପୁରୁଷାନୁକ୍ରମିକ ଭାବେ ଗ୍ରାମବାସୀଙ୍କ ପକ୍ଷରୁ ନିସ୍କର ଚାଷ ଜମି ଓ ବାସଗୃହ ଯୋଗାଇ ଦିଆଯାଇଥାଏ । ଏହି କ୍ରମରେ ଗ୍ରାମର ପ୍ରଦୀପ ମଲିକଙ୍କୁ ତାଙ୍କ ପିତୃପୁରୁଷ ଅମଳରୁ ପୂଜକ ଭାବେ ଗ୍ରାମବାସୀ ସମସ୍ତ ସୁବିଧା ଯୋଗାଇ ଆସୁଥିଲେ । ପ୍ରଦୀପ ମଲିକ ବୃତ୍ତିରେ ଜଣେ ଶିକ୍ଷକ ହେଲେ ମଧ୍ୟ ଧରଣୀ ପେନୁକୁ ପୂଜା କରି ଗ୍ରାମବାସୀଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ଜମିବାଡି ଓ ସମ୍ପତ୍ତି ଭୋଗ କରୁଥିଲେ ।
ଗତ କିଛି ବର୍ଷ ହେଲା ପ୍ରଦୀପ ଗ୍ରାମବାସୀଙ୍କୁ କିଛି ନ ଜଣାଇ ଅନ୍ୟ ଏକ ଧର୍ମ ଗ୍ରହଣ କରିଥିଲେ । ଏହାପୂର୍ବରୁ ତାଙ୍କର ଅନ୍ୟ ଭାଇମାନେ ମଧ୍ୟ ସେହି ଧର୍ମ ଗ୍ରହଣ କରିସାରିଥିଲେ । ବର୍ତ୍ତମାନ ପ୍ରଦୀପ ସେହି ସମ୍ପ୍ରଦାୟରେ ସାମିଲ ହେବା ସହ ଚଞ୍ଚକତା କରି ଗ୍ରାମବାସୀଙ୍କ ଦ୍ୱାରା ପ୍ରଦତ୍ତ ଜମିକୁ ନିଜ ନାମରେ ପଟ୍ଟା କରି ଦେଇଥିବା ଆଦିବାସୀମାନେ ଅଭିଯୋଗ କରିଛନ୍ତି ।
ଏନେଇ ଗତ ୧୦ ତାରିଖରେ ଗ୍ରାମବାସୀ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ୍ କୌଣସି ପଦକ୍ଷେପ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟନ୍ବିତ କରିଛି। ଅଭିଯୋଗ ଅନୁସାରେ ପୂଜା ପାଇଁ ବ୍ୟବହୃତ ମୂଲ୍ୟବାନ ରୂପା ମୁକୁଟ, ୪ ଫୁଟ ଉଚ୍ଚର ତମ୍ବା ହଣ୍ଡା, ଢାଳ ସମେତ ବହୁ ପୂଜା ସାମଗ୍ରୀକୁ ହଡପ୍ କରି ଷଡଯନ୍ତ୍ରକାରୀମାନେ ନେଇ ଯିବା ସଙ୍ଗେ ସଙ୍ଗେ ୨୦୦ ବର୍ଷ ପୁରୁଣା ଧରଣୀ ପେନୁ ଖମ୍ବକୁ ପୋଡି ଦେଇଛନ୍ତି ପ୍ରଦୀପ ମଲିକ ଓ ତାଙ୍କ ସହଯୋଗୀ ।