ଫୁଲବାଣୀ:କନ୍ଧମାଳ ଜିଲ୍ଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଲାଗି ରହିଛି । ଫଳରେ ଜିଲ୍ଲାର ଥିବା ବିଭିନ୍ନ ନଦୀ ଓ ନାଳରେ ବନ୍ୟାଜଳ ପ୍ରଭାହିତ ହେଉଛି । ସମସ୍ତ ନଦୀ ଫୁଲି ଉଠିଛି । ଏପରିକି କେତେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଫୁଲବାଣୀରେ ପିଲା ସାଲୁଙ୍କି ନଦୀରେ ଆଜି ସକାଳୁ ପ୍ରବଳ ବନ୍ୟାଜଳ ଆସିବା ଫଳରେ ସହରର ନଦୀଖଣ୍ଡି ସାହି ଡ୍ୟାମ ଉପରେ ୩ ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଡାକପାଲା, ଦାମିଗାଁ, ନୁଆରୀପଦର ଓ ଆଲାମି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଫୁଲବାଣୀ ସହରର ମୁଖ୍ୟ ରାସ୍ତାରେ ଆଣ୍ଠୁଏେଁ ଲେଖାଏଁ ପାଣି ଚାଲିଛି ।
ଫୁଲବାଣୀରେ ଗତବର୍ଷ ନୂଆକରି ନିର୍ମାଣ ହୋଇଥିବା ନାରାୟଣୀ ପାର୍କର ପାଚେରୀ ମଧ୍ୟ ଭୁଷୁଡି ଯାଇଛି । ଫୁଲବାଣୀ ସହର ସମେତ ଲଗାଣ ବର୍ଷାରେ କେତେକ ସ୍ଥାନରେ କଚାଘର ଭାଙ୍ଗି ପଡିଛି । ସେହିପରି ବାଲିଗୁଡା ବସଷ୍ଟାଣ୍ଡ ନିକଟ ନୂତନ ଭାବେ ପୋଖରୀ ପାଇଁ ନିର୍ମାଣ ହୋଇଥିବା ପାଚେରି ଭାଙ୍ଗି ଯାଇଛି । ଖଜୁରୀପଡା ବ୍ଲକର ବାରିକୁମ୍ପାରେ ପ୍ରବଳ ବର୍ଷା ଯୋଗୁଁ କେନାଲ ପାଣି ତଳ ସାହିରେ ପଶିଥିବାବେଳେ, ଜମିକୁ ମଧ୍ୟ ପାଣି ମାଡିଯାଇଛି ।