ଫୁଲବାଣୀ:ହତ୍ୟାକାଣ୍ଡର 10 ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ । ପାଞ୍ଚ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବୁଡ଼ାଗୁଡ଼ା ନେଡି ସାହିରେ 2014 ମସିହାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ବାଲିଗୁଡା ଏଡିଜେ ଦିଲୀପ କୁମାର ବିଶ୍ୱାଳ ରାୟ ପ୍ରକାଶ କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଦଣ୍ଡିତ ହୋଇଥିବା ପାଞ୍ଚ ଅଭିଯୁକ୍ତ ହେଲେ ଗଙ୍ଗାଧର ପାତ୍ର, ପ୍ରଦୀପ ଦଣ୍ଡସେନା, ବନାରସୀ ପାତ୍ର, ବିନାୟକ ପାତ୍ର ଓ ଗୋଲକ ପୂଜାରୀ l ତେବେ ଏହି ହତ୍ୟା ମାମଲାର ରାୟ ପ୍ରକାଶ ପୂର୍ଵରୁ ଅନ୍ୟ ଜଣେ ଆସାମୀ ସନ୍ତୋଷ ପାତ୍ରଙ୍କ ବିଚାରଧୀନ ଚାଲିଥିବା ସମୟରେ ମୃତ୍ୟୁ ହୋଇଛି l
2014 ମାର୍ଚ୍ଚ 11 ତାରିଖରେ ବାଲିଗୁଡା ଥାନା ବୁଡ଼ାଗୁଡ଼ା ଗାଁ ନେଡିସାହିର ଗୋରେଖ ଦଣ୍ଡସେନାଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଗୋରେଖ ନାସ କିଣିବାକୁ ଯାଇଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ମାନେ ଆକ୍ରମଣ କରିଥିଲେ । ଏପରିକି ଗୋରେଖଙ୍କୁ ମେଡିକାଲକୁ ଯୁବକଙ୍କୁ ଯିବାକୁ ବି ଦେଇନଥିଲେ ଅଭିଯୁକ୍ତ । ଯାହା ଫଳରେ 2014 ମାର୍ଚ୍ଚ 12 ତାରିଖ ଦିନ ମେଡିକାଲକୁ ଅଣାଯାଇଥିବା ବେଳେ ରାସ୍ତାରେ ଗୋରେଖଙ୍କ ମୃତ୍ୟୁ ହୋଇଥିଲା l ଏନେଇ ମୃତ ଗୋରେଖଙ୍କ ଭାଇ କାଳିଦାସ ଦଣ୍ଡସେନା ବାଲିଗୁଡା ଥାନାରେ ଏତଲା ଦେଇଥିଲେ । ବାଲିଗୁଡା ଥାନାରେ କେସ ନମ୍ବର 24/12-3-2014 ଅନୁଯାୟୀ ମାମଲା ରୁଜୁ ହୋଇଥିଲା ।