ପୁଲବାଣୀ:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପାଟ୍ଟଖଣ୍ଡା ସାହି ସ୍ଥିତ ମା'ପାଟ୍ଟଖଣ୍ଡା ଏଜେନ୍ସି ଗୋଦାମ ଘରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ପାଖାପାଖି 10 ଲକ୍ଷ ଟଙ୍କାର ସମାଗ୍ରୀ ଜଳି ନଷ୍ଟହୋଇ ଯାଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ବାଲିଗୁଡ଼ା ପାଟ୍ଟଖଣ୍ଡା ସାହିଠାରେ ଥିବା ଅନନ୍ତ ନାରାୟଣ ଦାସ(ଟୁଟୁ)ଙ୍କ ପତଞ୍ଜଳୀ କମ୍ପାନୀ ସମେତ ବିଭିନ୍ନ କମ୍ପାନୀର ଖାଦ୍ୟ ସାମଗ୍ରୀ ମହଜୁଦ ଥିବା ଗୋଦାମରେ ନିଆଁ ଲାଗିଯାଇଥିଲା । ଆଜି(ମଙ୍ଗଳବାର) ସକାଳେ ଏନଏସିର ସଫେଇ କର୍ମଚାରୀମାନେ ସଫେଇ କରୁଥିବା ସମୟରେ ଗୋଦାମ ଘରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ପରେ ସଫେଇ କର୍ମଚାରୀ ଓ ସାହି ବାସିନ୍ଦାମାନେ ଗୋଦାମ ମାଲିକଙ୍କୁ ଖବର ଦେଇଥିଲେ ।
ଗୋଦାମ ମାଲିକ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ହେଲେ ନିଆଁ ଆୟତ୍ତ ହେବା ପୂର୍ବରୁ ଗୋଦାମ ଘରେ ଥିବା ବିସ୍କୁଟ୍, ଚକୋଲେଟ୍ ସମେତ ସମସ୍ତ ଖାଦ୍ୟ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସଟ୍ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ଗୋଦାମରେ 10 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ମହଜୁଦ ରହିଥିବା ବେଳେ ସବୁ ସାମଗ୍ରୀ ପୋଡି ଯାଇ ନଷ୍ଟ ହୋଇଯାଇଛି ।