କନ୍ଧମାଳ :ବିଦ୍ୟୁତ ବିଭାଗର ମନମାନି । ଗୋଟିଏ ପଟେ ଚାଷୀଙ୍କ ପେଟକୁ ଲାତ ମାରି ଅନ୍ୟପଟେ ଜଳସେଚନ ପାଇଁ କରିଛି ହଜାର ହଜାର ଟଙ୍କାର ବିଲ । ଟଙ୍କା ପୈଠ ନକରିବାରୁ ଶେଷରେ ବିଦ୍ୟୁତ କାଟି ଦେଲା ବିଦ୍ୟୁତ ବିଭାଗ । ଗତବର୍ଷ ବର୍ଷ ଧାନ ଅମଳ ସମୟରେ ବାତ୍ୟା ଜୱାଦ ଦାଉ ସାଧିଥିବା ବେଳେ ଅଦିନିଆ ବର୍ଷାରେ ଉଜୁଡିଥିଲା ଫସଲ । ଚାଷୀ କୂଳ ହତାଶ ହୋଇ ପନି ପରିବା ଚାଷ ଆରମ୍ଭ କରିଥିଲେ । ଆଉ ସପ୍ତାହେ ମଧ୍ୟରେ ଫସଲ ବଜାରକୁ ଯାଇଥାନ୍ତା ବିକ୍ରି ପାଇଁ । ହେଲେ ଏହି ସମୟରେ ପ୍ରକୃତି ନୁହଁ, ଖୋଦ ବିଦ୍ୟୁତ ବିଭାଗ ଚାଷୀଙ୍କ ପେଟକୁ ଲାତ ମାରିଛି । ଉଠା ଜଳ ସେଚନ ପ୍ରକଳ୍ପରେ ବିଦ୍ୟୁତ ବିଚ୍ଛିନ୍ନ କରିଛି ବିଦ୍ୟୁତ ବିଭାଗ । ସେପଟେ ପାଣି ନ ଚଲାଇ ମଧ୍ୟ ମାସକୁ ହଜାର ହଜାର ଟଙ୍କା ବିଲ ଆସୁଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ମିଣିଆ ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ ।
ମିଣିଆ ପଞ୍ଚାୟତର ପିଶୁପଦର, ଜ୍ରାକିପଡା, ଗଏରୀବାଟା ଏବଂ ଶିରାବିରାରେ ଚାଷୀଙ୍କ କ୍ଷେତକୁ ପାଣି ଯୋଗାଇ ଦେବା ଲାଗି ସାଲୁଙ୍କି ନଦୀରେ ହୋଇଛି ଉଠା ଜଳସେଚନ ପ୍ରକଳ୍ପ । ଏହି ୪ଟି ପ୍ରକଳ୍ପ ଅଧିନରେ ୮୦ ଏକର ରୁ ଉର୍ଦ୍ଧ୍ବ ଚାଷ ଜମି ଫସଲ କରୁଛନ୍ତି ଚାଷି । ଜ୍ରାକିପଡାରେ ବସିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରରୁ ଜ୍ରାକିପଡା ଏବଂ ପିଶୁପଦର ଉଠା ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ ଦିଆଯାଇଥିଲା । ୨୦୧୬ରେ ଜ୍ରାକିପଡା ପ୍ରକଳ୍ପ ହେବାରୁ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଲ ଠିକ ସମୟରେ ଦିଆଗଲା ନାହିଁ । ଦୀର୍ଘ ୪ ବର୍ଷ ପରେ ୨୦୨୦ରେ ୨୨ ହଜାର ଟଙ୍କା ଏକ ବିଲ ଆସିଲା । ସେତବେଳେ ତିତିଲି ପ୍ରଭାବରେ ପ୍ରକଳ୍ପରେ ଲାଗିଥିବା ବିଦ୍ୟୁତ୍ ମୋଟରଟି ପୋଡି ଯାଇଥିଲା । ଚାଷୀମାନେ ମୋଟର କାମ କରିବାରୁ ବିଦ୍ୟୁତ ବିଲ ଦେଇ ପାରିନ ଥିଲେ ।