ଫୁଲବାଣୀ:ଥମୁନି ହାତୀ ଉପଦ୍ରବ । ଏକର ଏକର ଧାନ ଫସଲ ଖାଇଯାଉଛନ୍ତି ହାତୀପଲ । ଉଜୁଡ଼ି ଯାଉଛି ଚାଷୀଙ୍କ ସୁନାର ଫସଲ । ଅମଳ ସମୟରେ ହାତୀ ଉପଦ୍ରବ ବୃଦ୍ଧି ପାଇଥିବାରୁ ମୁଣ୍ଡରେ ହାତ ଦେଲେଣି ଚାଷୀକୂଳ । କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତ ଅଞ୍ଚଳରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ଦେଖାଦେଇଛି । ତେବେ ଏନେଇ ବାରମ୍ବାର ବନ ବିଭାଗକୁ ସୂଚନା ଦେବା ସତ୍ତ୍ବେ ହାତୀପଲ ଘଉଡାଇବା ନେଇ ବନ ବିଭାଗ ତତ୍ପରତା ଦେଖାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଜିଲ୍ଲାର ବ୍ରାହ୍ମଣପାଦ ପଞ୍ଚାୟତରେ ସାନ ବଡ଼ ହୋଇ 17 ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି । ଏହି ହାତୀପଲ ଅଞ୍ଚଳର ପ୍ରାୟ 15ରୁ 20 ଏକର ଜମିରେ ଧାନ ଫସଲ ନଷ୍ଟ କରିଥିବା ବେଳେ ହାତୀ ଉପଦ୍ରବକୁ ନେଇ ଆତଙ୍କିତ ଗ୍ରାମବାସୀ । ତେବେ ଗତ ଗୁରୁବାର ରାତି ହାତୀପଲର ଶବ୍ଦ ଶୁଣି ଗ୍ରାମବାସୀ ଏକତ୍ରିତ ହୋଇ ଜଙ୍ଗଲ ଆଡ଼କୁ ଯିବା ବେଳେ ଜଙ୍ଗଲ ନିକଟସ୍ଥ ଧାନ ବିଲରେ ହାତୀପଲଙ୍କୁ ଦେଖିବାକୁ ପାଇଥିଲେ । ସେମାନଙ୍କୁ ଘଉଡାଇବା ପାଇଁ ଗାଁ ଲୋକେ ଚେଷ୍ଟା କରିଥିଲେ ମଧ୍ୟ ହାତୀପଲ ଓଲଟା ଆକ୍ରମଣ କରିବାରୁ ଗ୍ରାମବାସୀ ଭୟରେ ଫେରି ଆସିଥିଲେ । ସେହିପରି ଗତ ଶୁକ୍ରବାର ଓ ଶନିବାର ଦିନ ମଧ୍ୟ ଅଞ୍ଚଳର ଅର୍ଚ୍ଚାଙ୍ଗୀ, ପାଜିଜାଡି ଗ୍ରାମରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ସୂଚନା ମିଳିଛି ।