ଫୁଲବାଣୀ: ସହରଠାରୁ ଅଳ୍ପ ଦୂରରେ ଥିବା ଗୁଦାରି ଏୟାରଷ୍ଟ୍ରିପ୍ (ବିମାନ ଉଡାଣ ଓ ଅବତରଣ ପଡିଆ) କାର୍ଯ୍ୟକ୍ଷମକୁ ନେଇ ଏବେ ଦାବି ଜୋର ଧରିଛି । କେବଳ ମନ୍ତ୍ରୀ ଓ ସଚିବ ମାନେ ବିମାନରେ ଆସି ଏଠାରେ ଓହ୍ଲାଉଥିବା ବେଳେ ଏଠାରୁ ବିମାନ ସେବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ତେବେ ତୁରନ୍ତ ବିମାନ ବନ୍ଦର କାର୍ଯ୍ୟକ୍ଷମ କରି ଏହାକୁ ଉଡାଣ ଯୋଜନାରେ ସାମିଲ କରିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି ।
ସୂଚନା ଅନୁସାରେ ଏହି ଏୟାରଷ୍ଟ୍ରିପକୁ ପୂର୍ଣ୍ଣକାଳୀନ ବିମାନ ବନ୍ଦର କରାଯିବ ବୋଲି ପ୍ରସ୍ତାବ ରହିଥିଲା । କିନ୍ତୁ ଏହା ଉପରେ ସରକାର କୌଣସି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହାକୁ ଉଡ଼ାଣ ଯୋଜନାରେ ସାମିଲ କରି ଏହାର ଉନ୍ନତିକରଣ କରାଯାଇ ପାରିଲେ କନ୍ଧମାଳ ବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇ ପାରିବ ବୋଲି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପତ୍ର ମାଧ୍ୟମରେ ସରକାରଙ୍କୁ ଅବଗତ କରିଥିବା ପ୍ରକାଶ କରିଛନ୍ତି ।