ଓଡିଶା

odisha

ETV Bharat / state

ରେଳଲାଇନ ମ୍ୟାପ୍ ନେଇ ତେଜିଲା ବିରୋଧ, ଫୁଲବାଣୀକୁ ରେଳ ସଂଯୋଗ ଦାବି - ଫୁଲବାଣୀକୁ ରେଳ ସଂଯୋଗ ଦାବି

ଫୁଲବାଣୀକୁ ରେଳ ସଂଯୋଗ ନେଇ ଦୀର୍ଘବର୍ଷରୁ ଦାବି କରାଯାଉଥିବା ବେଳେ ଏହା ବଦଳରେ ବ୍ରହ୍ମପୁର, ରେଢ଼ାଖୋଲ, ସମ୍ବଲପୁର ରେଳଲାଇନକୁ ମଞ୍ଜୁରୀ ମିଳିଛି । କନ୍ଧମାଳ ଜିଲ୍ଲା ଦେଇ ଏହି ରେଳଲାଇନ୍ ଯାଇଥିବାରୁ ଲୋକଙ୍କ ମନରେ ଖୁସି ରହିଛି ମାତ୍ର ପ୍ରସ୍ତାବିତ ଏହି ରେଳଲାଇନରେ ଫୁଲବାଣୀକୁ ବାଦ ଦିଆଯାଇଥିବାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ରେଳଲାଇନ ମ୍ୟାପ୍କୁ ନେଇ ତେଜିଲା ବିରୋଧ, ଫୁଲବାଣୀକୁ ରେଳ ସଂଯୋଗ ଦାବି
ରେଳଲାଇନ ମ୍ୟାପ୍କୁ ନେଇ ତେଜିଲା ବିରୋଧ, ଫୁଲବାଣୀକୁ ରେଳ ସଂଯୋଗ ଦାବି

By ETV Bharat Odisha Team

Published : Sep 12, 2023, 5:53 PM IST

ଫୁଲବାଣୀ: ପ୍ରସ୍ତାବିତ ରେଳଲାଇନ ମ୍ୟାପକୁ ନେଇ ଫୁଲବାଣୀରେ ଅସନ୍ତୋଷ ଦେଖିବାକୁ ମିଳିଛି । ଫୁଲବାଣୀକୁ ରେଳ ସଂଯୋଗ ନେଇ ଦୀର୍ଘବର୍ଷରୁ ଦାବି କରାଯାଉଥିବା ବେଳେ ଏହା ବଦଳରେ ବ୍ରହ୍ମପୁର, ରେଢ଼ାଖୋଲ, ସମ୍ବଲପୁର ରେଳଲାଇନକୁ ମଞ୍ଜୁରୀ ମିଳିଛି । କନ୍ଧମାଳ ଜିଲ୍ଲା ଦେଇ ଏହି ରେଳଲାଇନ୍ ଯାଇଥିବାରୁ ଲୋକଙ୍କ ମନରେ ଖୁସି ରହିଛି ମାତ୍ର ପ୍ରସ୍ତାବିତ ଏହି ରେଳଲାଇନରେ ଜିଲ୍ଲାର ସଦର ମହକୁମା ଫୁଲବାଣୀକୁ ବାଦ ଦିଆଯାଇଥିବାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ଫୁଲବାଣୀ ସ୍ଥାନୀୟବାସିନ୍ଦାଙ୍କ ମତ ଅନୁଯାଇ ବିଳମ୍ବରେ ହେଲେ ବି ଫୁଲବାଣୀକୁ ରେଳ ସଂଯୋଗ କରାଯାଉ । ଗୋପାଳପୁରରୁ ସମ୍ବଲପୁର ରେଳ ଲାଇନ ଆସିକା, ଭଞ୍ଜନଗର, ଫୁଲବାଣୀ ଦେଇ ଯିବ ବୋଲି ଘୋଷଣା ହୋଇଥିଲା । ଯାହାଫଳରେ କନ୍ଧମାଳ ଲୋକେ ସୁବିଧାରେ ଯିବା ଆସିବା କରିବା ସହ ମାଲ ପରିବହନ କରିପାରିଥାନ୍ତେ । ଯାହାଦ୍ଵାରା ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ହୋଇପାରିଥାନ୍ତା । ହେଲେ କୌଣସି କାରଣରୁ ଏବେ ଏହି ରେଳ ଲାଇନ ଫୁଲବାଣୀ ଦେଇ ଯିବ ନାହିଁ ବୋଲି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି ।ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।

ଏ ନେଇ ରବିବାର ସ୍ଥାନୀୟ ବନାନୀ କଳା ସଙ୍ଗମ ଠାରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସଭାପତି କମଳାକାନ୍ତ ପାଣ୍ଡେଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମିଳିତ ନାଗରିକ ମଞ୍ଚ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ. ଅରୁପ ଜେନା, ଓକିଲ ସଂଘ ସଭାପତି ଭଗବାନ ମହାନ୍ତି, ଫୁଲବାଣୀ କୁଇ ସମାଜ ସମ୍ପାଦକ ଅବନୀ କହ୍ନର, ମିଡିଆ ଫୋରମ ସଭାପତି ସନ୍ତୋଷ ଦିଗାଲ, ଆଇନଜୀବୀ ବିଜୟ ପଟ୍ଟନାୟକ, ସତ୍ୟ ପ୍ରିୟ ମହାନ୍ତି, ବରିଷ୍ଠ ଆଇନଜୀବୀ ପ୍ରତାପ ପାତ୍ର, ଅଶୋକ କୁମାର ବେହେରା, ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସରକାର ପୂର୍ବ ପରି ଫୁଲବାଣୀ ଦେଇ ରେଳପଥ ନିର୍ମାଣ କରିବା ପାଇଁ ଦାବି କରିଥିଲେ ।

ଆଉମଧ୍ୟ ପଢନ୍ତୁ.. ମଞ୍ଚେଶ୍ବରରୁ ଭୁବନେଶ୍ବର ମଧ୍ୟରେ ଚାଲିଛି ନନ୍‌ ଇଣ୍ଟରଲକିଂ କାର୍ଯ୍ୟ, ସୁଦୃଢ଼ ହେବ ନିରାପତ୍ତା

ଯଥାଶୀଘ୍ର ଫୁଲବାଣୀକୁ ରେଲସଂଯୋଗ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି ସଂଘ । ଏ ନେଇ ରେଳ ବିଭାଗ କର୍ତ୍ତୃପକ୍ଷ, ରାଜ୍ୟ ସରକାର, କେନ୍ଦ୍ର ରେଳ ମନ୍ତ୍ରୀ, ସ୍ଥାନୀୟ ସାଂସଦ ଙ୍କୁ ପତ୍ର ଦ୍ବାରା ଅବଗତ କରାଯିବ । ଆଉ ଦାବୀ ପୂରଣ ନହେଲେ ଗଣ ଧାରଣା, ରାଲି, ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲା ବନ୍ଦ କରିବା ପାଇଁ ଡାକରା ଦିଆଯିବା ଭଳି କାର୍ଯ୍ୟକ୍ରମ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଆନ୍ଦୋଳନକୁ ଜୋରଦାର କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ମଧ୍ୟ ଗଠନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି ।କମଳାକାନ୍ତ ପାଣ୍ଡେ ଏହି କମିଟିର ଅଧ୍ୟକ୍ଷ ଦାୟିତ୍ୱରେ ଥିବାବେଳେ ଅରୂପ ଜେନା, ଭଗବାନ ମହାନ୍ତି , ବିଜୟ ପଟ୍ଟନୟକ, ଅବନୀ କହଁର , ପ୍ରତାପ ପାତ୍ର, ସୁନୀଲ ପଟ୍ଟନାୟକ, ସନ୍ତୋଷ ଦିଗାଲ୍, ଅଶୋକ ବେହେରା, ପ୍ରଣବ ମଣ୍ଡଳ ପ୍ରମୂଖ ସଦସ୍ୟ ରହିଛନ୍ତି । ପରବର୍ତ୍ତୀ ସମୟରେ ଜିଲ୍ଲାରେ ଥିବା ବିଭିନ୍ନ ସଂଗଠନର ପ୍ରତିନିଧିମାନଙ୍କୁ କମିଟିରେ ସାମିଲ କରିବା ନେଇ ନିଷ୍ପତ୍ତି ନିଆଯଆଇଛି ।

ଇଟିଭି ଭାରତ, ଫୁଲବାଣୀ

ABOUT THE AUTHOR

...view details